ଭାଜପାର ‘ଓ୍ବାନ୍‌ ଡିଷ୍ଟ୍ରିକ୍ଟ ଓ୍ବାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆରମ୍ଭ

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କରୋନାକୁ ମୁକାବିଲା ପାଇଁ ଶୁକ୍ରବାର ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ଆଉ ଏକ ପାଦ ଆଗେଇଛି। ‘ୱାନ୍‌ ଡିଷ୍ଟ୍‌ରକ୍ଟ ୱାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆଧାରରେ ଦେଶର ସବୁ ଜିଲାରେ ୮୨୪ଟି ହେଲ୍ପଡେସ୍କ ଆରମ୍ଭ ହୋଇଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଭର୍ଚୁଆଲରେ ସମସ୍ତ ହେଲ୍ପଡେସ୍କକୁ ଉଦ୍‌ଘାଟନ କରିଛନ୍ତି। ଏହି ହେଲ୍ପଡେସ୍କ ଜରିଆରେ କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ଏହି ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍‌ମେଣ୍ଟ ଆଦି ପ୍ରସଙ୍ଗରେ ଜନଜାଗରଣ କରାଯିବ।
ଏହାସହ କରୋନା ସଂକ୍ରମିତଙ୍କ ସକାଶେ ଆମ୍ବୁଲାନ୍ସ, ଅକ୍ସିଜେନ, ମେଡିକାଲ ସେବା ଯୋଗାଇଦେବା ସହ କୋଭିଡ୍‌ ଟିକାକରଣ ପାଇଁ ହେଲ୍ପଡେସ୍କ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା କହିଛନ୍ତି, ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ କୃଷକ ମୋର୍ଚ୍ଚାର ଅଗଣିତ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ବିଶ୍ୱର ସର୍ବବୃହତ୍‌ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ଯଥାଶୀଘ୍ର ସମସ୍ତ ଦେଶବାସୀଙ୍କୁ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ନଡ୍ଡା କହିଛନ୍ତି।