ଭୁବନେଶ୍ୱର,୧।୭(ସୁନିତ୍ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ ୨ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଚାଲିଛି। ମାତ୍ର ସରକାରଙ୍କ ଅଧୀନରେ ଆସୁଥିବା ନିଗମ ଓ ବୋର୍ଡଗୁଡ଼ିକର ଅଧ୍ୟକ୍ଷ ପଦ ଏଯାଏଁ ପୂରଣ ହୋଇପାରି ନାହିଁ। ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦଗୁଡ଼ିକ କେବେ ଘୋଷଣା ହେବ ବୋଲି ପଚାରୁଛନ୍ତି, ଭାଜପାର ନେତା ଓ ମନ୍ତ୍ରୀମାନେ ଖୁବ୍ଶୀଘ୍ର ହୋଇଯିବ ବୋଲି ଦୀର୍ଘଦିନରୁ କହିଆସୁଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୨୦ ତାରିଖ ଓଡ଼ିଶା ଗସ୍ତ ସମ୍ପର୍କରେ ଯେତେବେଳେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଗଣମାଧ୍ୟମ ପଚାରିଥିଲା, ସେହି ସମୟରେ ବୋର୍ଡ ଓ ନିଗମର ତାଲିକା ପ୍ରକାଶ ପାଇବା ନେଇ ମନ୍ତ୍ରୀ ମତ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନିଗମ ଓ ବୋର୍ଡ ନେଇ ଘୋଷଣା ହୋଇଯାଇପାରେ ବୋଲି ସେ କହିଥିଲେ। ଏହି ପ୍ରସଙ୍ଗରେ ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କୁ ମଧ୍ୟ ଗଣମାଧ୍ୟମ ଅନେକ ଥର ପଚାରିଛି। ତୋମାର ଏହାର ଉତ୍ତରରେ, ଖୁବ୍ଶୀଘ୍ର ବୋର୍ଡ ଓ ନିଗମରେ ଥଇଥାନ ହୋଇଯିବ, ତାଲିକା ପ୍ରସ୍ତୁତ ହୋଇ ଦିଲ୍ଲୀ ଯାଏ ପହଞ୍ଚିସାରିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି। ନିଗମ ଓ ବୋର୍ଡ ନିଯୁକ୍ତି କରାଯାଉ ନ ଥିବାରୁ ଭାଜପା ନେତାମାନେ ଚିନ୍ତିତ ନ ଥାଇପାରନ୍ତି। କିନ୍ତୁ ଦୀର୍ଘଦିନ ଧରି ରାଜ୍ୟରେ ସରକାରକୁ ଆସିବା ପାଇଁ ଭାଜପାରେ କାର୍ଯ୍ୟ କରିଥିବା ଅନେକ ନେତା ବୋର୍ଡ ଓ ନିଗମ ପଦବୀ ପାଇବା ଆଶାରେ ରହିଥିବେ। ଏନେଇ ବିଳମ୍ବ ହେଉଥିବାରୁ ସରକାର ଓ ଦଳର ଭୂମିକାକୁ ନେଇ ଖୋଦ୍ ଭାଜପା ନେତାମାନେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି।
ଜଣେ ବରିଷ୍ଠ ଭାଜପା ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗତ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଅବସରରେ ଦଳର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୋର୍ଡ ଓ ନିଗମ ବାବଦରେ ଦଳର କୋର୍ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ। ହେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସିକି ଯିବାପରେ ମଧ୍ୟ ଏନେଇ ଘୋଷଣା ହୋଇପାରୁନାହିଁ। ଏହା ପରଠାରୁ ଆଉ କେବେ କୋର୍ କମିଟି ବୈଠକ ବସିନାହିଁ। କୋର୍ କମିଟିର ଯେଉଁମାନେ ସଦସ୍ୟ ଅଛନ୍ତି ସେମାନେ ହିଁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ନେବା କଥା। କୋର୍ କମିଟିରେ ଦଳର ସମସ୍ତ ପୂର୍ବତନ ରାଜ୍ୟ ସଭାପତି, ବର୍ତ୍ତମାନର ସଭାପତି, ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ, ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ, ଅନ୍ୟମାନଙ୍କ ମଧ୍ୟରେ ଏମ୍ପି ସମ୍ବିତ ପାତ୍ର, ପ୍ରତାପ ଷଡ଼ଙ୍ଗୀ ଏବଂ ଜାତୀୟ ଉପସଭାପତି ଭାବେ ବୈଜୟନ୍ତ ପଣ୍ଡା ଅଛନ୍ତି। କୋର୍ କମିଟିରେ ଯେଉଁ ନିଷ୍ପତ୍ତି ହେବ ସେଥିରେ ହିଁ ଭାଜପା କେନ୍ଦ୍ରୀୟ ନେତା ମୋହର ମାରିବେ। ଗତ କୋର୍ କମିଟି ବୈଠକ ସମୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ନ ଥିଲେ। ତେଣୁ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦକୁ ନେଇ କୋର୍ କମିଟି ଭିତରେ ଚୂଡ଼ାନ୍ତ ହୋଇପାରୁନାହିଁ ବୋଲି ସମସ୍ତେ ଜାଣୁଛନ୍ତି। କମିଟିର କେତେଜଣ ନେତାଙ୍କ ପତିଆରା ଲଢ଼େଇ ଏହାର ମୂଳ କାରଣ ପାଲଟିଛି। ଏହି ବିଳମ୍ବ ଯୋଗୁ ଦଳର ମଧ୍ୟସ୍ତରର ନେତାମାନଙ୍କ ବ୍ୟସ୍ତତା ପଦାକୁ ଆସିଗଲାଣି। କାରଣ ଏ ସମ୍ପର୍କରେ ଖୋଲାଖୋଲି ସେମାନେ ଗପିବା ଆରମ୍ଭ କରିଦେଲେଣି। ଏହାଦ୍ୱାରା କୋର୍ କମିଟିରେ ଥିବା ଜଣେ ନେତାଙ୍କୁ ସିଧାସଳଖ ଲାଭ ମଧ୍ୟ ମିଳିଯାଉଛି। ଥଇଥାନରେ ବିଳମ୍ବ ହେବା କାରଣରୁ ଯେଉଁ ଦଳୀୟ ନେତାମାନେ ବିରୋଧୀ ଦଳରେ ଥିବା ସମୟରେ ଦଳ ପାଇଁ ଖୁଣ୍ଟ ହୋଇ ଛିଡ଼ା ହେଉଥିଲେ, ସେମାନେ ଅନେକ କଥାରେ ଏବେ ଦୂରେଇଯାଉଛନ୍ତି। ଯେତେବେଳେ ସରକାର ପାଇଁ କିଛି ଅଡୁଆ ପରିସ୍ଥିତି ସୃଷ୍ଟି ହେଉଛି, ଆଗକୁ ଆସି ବିରୋଧୀଙ୍କ ସହ ମୁକାବିଲା କରିବାକୁ ସେହି ନେତାମାନେ ପୂର୍ବଭଳି ଆଗ୍ରହ ଦେଖାଉନାହାନ୍ତି ।
ମନମୋହନଙ୍କ ଟିମ୍ର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ପରିଚୟ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବ୍ୟବସ୍ଥା ଏଭଳି ଏକ ଢାଞ୍ଚାରେ ଚାଲିଛି, କିଛି ନିଷ୍ପତ୍ତି ନେବାକୁ ହେଲେ ୩ ସେଣାରେ ପାଣି ଉଠାଇବାକୁ ପଡୁଛି। ପ୍ରଥମେ ସଂଘ, ୨ୟରେ ଦଳ, ଶେଷରେ କେନ୍ଦ୍ରର ମୋହର ଲାଗିଲେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇପାରୁଛି। ଏପରି ସ୍ଥିତିରେ ଶାସକଙ୍କୁ ସବୁ କଥାରେ ଅଟକାଇବାକୁ ଜଣେ ନେତା କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ବୋର୍ଡ ଓ ନିଗମରେ ଥଇଥାନ ଦାୟିତ୍ୱ ଶାସକ ଦଳର ଇଚ୍ଛାଧୀନ। ତେଣୁ ବୋର୍ଡ ଓ ନିଗମରେ ଥଇଥାନ ହୋଇ ନ ପାରିଲେ ଏ ବାବଦ ପ୍ରଶ୍ନ ସିଧାସଳଖ ସରକାରଙ୍କ ଅପାରଗତାକୁ ଦେଖାଇବ ବୋଲି ଏଭଳି ଏକ ଚତୁର ଗୋଟି ଚାଳନା କରାଯାଉଛି।