ଫୁଲବାଣୀରେ ଭାଜପା, ବାଲିଗୁଡା-ଜି.ଉଦୟଗିରିରେ ବିଜେଡି ହାତେଇଲା ଅଧ୍ୟକ୍ଷ ପଦ

ଫୁଲବାଣୀ ଅଫିସ୍‌/ଜି.ଉଦୟଗିରି(ଡି.ଏନ୍‌.ଏ.),୨୬ା୩: କନ୍ଧମାଳ ଜିଲାରେ ଫୁଲବାଣୀ ପୌର ପରିଷଦ ନିର୍ବାଚନ ଏବଂ ବାଲିଗୁଡା ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦକୁ ଭାଜପା ହାତେଇଥିବା ବେଳେ ବାଲିଗୁଡାରେ ବିଜେଡି ଏହାକୁ ନିଜ ପକ୍ଷରେ ରଖିଛି। ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପଦବୀ ଜିତିଥିବା ଭାଜପାର ସ୍ମିତାରାଣୀ ମହାନ୍ତି ୬୧୩୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେଡିର ପୁନମ କହଁର ୫୩୯୬ ଏବଂ କଂଗ୍ରେସ ପ୍ରାର୍ଥୀ ସବିତା ମହାନ୍ତି ୪୦୫୨ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ୫, ୬, ୧୧ ନମ୍ବର ଏବଂ ୧୨ ନମ୍ବର ୱାର୍ଡକୁ ମଧ୍ୟ ଭାଜପା ହାସଲ କରିଛି। ଅପରପକ୍ଷେ ସ୍ବାଧିନ ପ୍ରାର୍ଥୀ ୩ ଓ ୧୦ ନମ୍ବର ୱାର୍ଡ ଅକ୍ତିଆର କରିଥିବା ବେଳେ ବାକି ୭ଟି ୱାର୍ଡ ବିଜେଡି ସପକ୍ଷରେ ଯାଇଛି। କଂଗ୍ରେସ ଗୋଟିଏବି କାଉନସିଲର ପଦ ଜିତିବାରେ ସକ୍ଷମ ହୋଇନାହିଁ। ସେହିପରି ବାଲିଗୁଡା ଏନ୍‌ଏସି ଅଧ୍ୟକ୍ଷ ପଦକୁ ବିଜେଡିର ଗୋବିନ୍ଦ ପ୍ରଧାନ ୩୦୦୦ରୁ ଉର୍ଦ୍ଧ୍ୱ ଭୋଟରେ ଜିତିଛନ୍ତି। ୧ ଏବଂ ୧୩ ନମ୍ବର ୱାର୍ଡ କଂଗ୍ରେସ ଜିତିଥିବା ବେଳେ ବାକି ସମସ୍ତ ୱାର୍ଡ କାଉନସିଲର ପଦବୀ ବିଜେଡି ହାତକୁ ଯାଇଛି। ଅନ୍ୟପଟେ ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ପଦବୀରେ ବିଜେଡିର ଭାନୁପ୍ରଭା ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସ୍ବାଧିନ ପ୍ରାର୍ଥୀ ମିତାରାଣୀ ପାତ୍ରଙ୍କୁ ୩୨୦ ଗୋଟି ଭୋଟରେ ପରାଜିତ କରି ବିଜୟୀ ହୋଇଛନ୍ତି। ଭାନୁପ୍ରଭା ୧୯୮୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସ୍ବାଧୀନ ପ୍ରାର୍ଥୀନୀ ମିତା ରାଣୀ ପାତ୍ର ୧୬୬୪ ଭୋଟ ପାଇଛନ୍ତି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀନୀ ସୁସ୍ମିତା ଜେନା ୧୧୯୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସମୁଦାୟ ୧୩ଟି ୱାର୍ଡ ମଧ୍ୟରୁ ବିଜୁ ଜନତା ଦଳ ୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଭାଜପା ୪ଟି ଆସନ, କଂଗ୍ରେସ ଗୋଟିଏ ଆସନ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ଅଧ୍ୟକ୍ଷ ସଞ୍ଜୀବ କୁମାର ପାତ୍ରଙ୍କ ପତ୍ନୀ ମିତା ରାଣୀ ପାତ୍ର ବିଜେଡିରୁ ଟିକେଟ ନ ପାଇବା ଯୋଗୁ ସିଏ ସ୍ବାଧୀନ ଭାବେ ଲଢ଼ିଥିଲେ। ତେବେ ସଂଜୀବ କୁମାର ପାତ୍ର ୫ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଛନ୍ତି।