ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଓ ମଣ୍ଡଳ ମହିଳା ସଭାନେତ୍ରୀ କେ. ହେମଲତା ଦୋରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଜପା ଘୁମୁସର ଜିଲା କମିଟି ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇଥିଲେ।
ପଳାସପୁର ଗ୍ରାମ ଛକଠାରୁ ପଦଯାତ୍ରା ପାଟପୁର ଗାନ୍ଧୀ ଛକରେ ପହଞ୍ଚିବା ପରେ ସେଠାରେ କଂଗ୍ରେସ ଓ ବିଜେଡି ନେତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ବିଜେଡି ଏବଂ କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ବିରୋଧ କରୁଥିବା ଭାଜପାର ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତା ବୃନ୍ଦ ଅଭିଯୋଗ କରିଥିଲେ । ପଥପ୍ରାନ୍ତ ସଭାରେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ସଚେତନ ହେବା ନେଇ ନେତୃବୃନ୍ଦ ଆହ୍ୱାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ମୀରାବାଈ ଦେଓ, ଗୋପାଳ ମଲ୍ଲିକ, ସୁକାନ୍ତ କୁମାର ଖୁଣ୍ଟିଆ, ପ୍ରଶାନ୍ତ ସ୍ୱାଇଁ, ବିଜୟ ପଣ୍ଡା, ପୂର୍ବତନ ସମିତି ସଭ୍ୟ ରଶ୍ମିତା ସ୍ବାଇଁ, ସୁଲତା ରାଣୀ ପଣ୍ଡା, ଭାଗ୍ୟବାନ ଗୌଡ଼, ମନୋରଞ୍ଜନ ସାହୁ, ମୁନା ପରିଡା, ପ୍ରମୋଦ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟକ ମହିଳା, ଦଳୀୟ କର୍ମୀ ଓ ସମର୍ଥକ ବୃନ୍ଦ ହାତରେ ପ୍ଲାକାର୍ଡ ଧରି ପଦଯାତ୍ରାରେ ସାମିଲ ହୋଇଥିଲେ । ଆଇନଶୃଙ୍ଖଳା ପାଇଁ ପାଟପୁର ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିଲା।