ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏହି ତାଲିକାରେ କଳାହାଣ୍ଡି ଜିଲା ଭାଜପା ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଭାବେ କାଞ୍ଚନ ବାଗଙ୍କ ନାମ ରହିଛି। ଯାହାକୁ ନେଇ ଜିଲାର ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହା ପୂର୍ବରୁ କାଞ୍ଚନ ରାଜ୍ୟ ଭାଜପାର କାର୍ଯ୍ୟକାରିଣୀ ସଦସ୍ୟା, ଜିଲା ସମ୍ପାଦିକା ଓ ଜୁନାଗଡ଼ ବ୍ଲକ ନାନ୍ଦୋଳ ଯୋନର ଜିଲା ପରିଷଦ ସଭ୍ୟା ଭଳି ପଦବୀରେ ରହି ନିଜ ଦାୟିତ୍ତ୍ୱକୁ ସୁଚାରୁ ରୁପେ ସମ୍ପାଦନା କରିଥିଲେ। ଏହାସହ ବର୍ତ୍ତମାନ ସେ ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ପଞ୍ଚାୟତର ସମିତିସଭ୍ୟା ମଧ୍ୟ ରହିଛନ୍ତି। ଆଗାମୀ ଦିନରେ ଜିଲାର ମହିଳା ସଂଗଠନକୁ ତୃଣ ମୂଳ ସ୍ତରରେ ସୁଦୃଢ଼ କରିବା ସହ ମହିଳାଙ୍କ ପାଇଁ ଭାଜପା ସରକାର କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକ ଲୋଚନକୁ ପହଞ୍ଚାଇବା ମୂଳ ଲକ୍ଷ୍ୟ ବୋଲି ନିଜ ପ୍ରତିକ୍ରିୟାରେ ଜିଲା ସଭାନେତ୍ରୀ କାଞ୍ଚନ ପ୍ରକାଶ କରିଛନ୍ତି।