ପୋଲିଂ, ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଲାଗି କଟକଣା କୋହଳ ହେଉ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆଦୌ ସ୍ପଷ୍ଟ ନୁହେଁ। ଶାସକ ଦଳ ଏବଂ ସେମାନଙ୍କ କର୍ମୀଙ୍କୁ ସୁହାଇଲା ଭଳି ଆଇନକାନୁନ ପ୍ରଚଳିତ କରୁଥିବାବେଳେ ସାମୂହିକ ସ୍ବାର୍ଥ ଓ ହିତକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଦୋମୁହଁ। ନୀତି ଅତ୍ୟନ୍ତ ନିନ୍ଦନୀୟ ଏବଂ ଜନବିରୋଧୀ ବୋଲି ରାଜ୍ୟ ଭାଜପା ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି। ଭାଜପାର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ପ୍ରଥମେ ଓମିକ୍ରନ୍‌ ଓ କରୋନା ମହାମାରୀ ସଙ୍କଟ ଯୋଗୁ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ କଟକଣା ଲାଗୁ କରିଥିଲେ। ପରବର୍ତ୍ତୀ ସମୟରେ ଓମିକ୍ରନ୍‌ ଓ କରୋନା ସଂକ୍ରମଣର ଦ୍ରୁତ ହ୍ରାସ କାରଣରୁ ନିର୍ବାଚନ କମିଶନ ପ୍ରଚାର ପାଇଁ କଟକଣାକୁ କୋହଳ କରିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପୁନଃ ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମନ୍ଦିର, ଦେବାଳୟରେ ଦର୍ଶନ କଟକଣାକୁ କୋହଳ କରାଯାଇଛି। ଅନ୍ୟପଟେ ବୁଧବାର ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ କେନ୍ଦ୍ରଗୁଡ଼ିକରେ ପୋଲିଂ ଏବଂ ପ୍ରାର୍ଥୀମାନେ ଦେଇଥିବା ଏଜେଣ୍ଟଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି କଟକଣା କୋହଳ କରାଯାଇନାହିଁ। ପୋଲିଂ ଏବଂ ପ୍ରାର୍ଥୀଙ୍କ ଏଜେଣ୍ଟ ପାଇଁ ଆର୍‌ଟିପିସିଆର୍‌/ଆର୍‌ଏଟି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ନିର୍ବାଚନ ପରିଚାଳନା ଓ ଭୋଟଦାନ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ବହୁ ଆଶଙ୍କା ଥିବାରୁ ଉଦ୍ଦିଷ୍ଟ କଟକଣାକୁ କୋହଳ କରାଯିବା ପାଇଁ ଭାଜପା ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଛି।