Categories: ରାଜ୍ୟ

ଆଦର୍ଶ ଆଚରଣ ବିଧି ମାନୁନି ବିଜେଡି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାଜପା

ଭୁବନେଶ୍ୱର,୨୨।୩:(ସୁନିତ୍‌ ମିଶ୍ର): ଆଗାମୀ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଲାଣି ା କିନ୍ତୁ ଏ ପର୍ଯ୍ୟନ୍ତ ବିଜେଡି ତଥା ଦଳୀୟ ସଭାପତିଙ୍କ ଫଟୋଚିତ୍ର ଥିବା ବଡ଼ ବଡ଼ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉନାହିଁ। ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ଦଳର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟା ନ ଯିବା ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଭାଜପାର ଏକ ପ୍ରତିନିଧି ଦଳ ବୁଧବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

ଭାଜପା ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଭୟମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ଜାରି କରିଥିବା ନିୟମାବଳୀକୁ ସମସ୍ତେ ପାଳନ କରିବା ଉଚିତ। ଇସିଆଇ ସ୍ପଷ୍ଟଭାବେ କହିଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଲାଣି। ସର୍ବସାଧାରଣ ସ୍ଥାନଗୁଡିକରେ ଲଗାଯାଇଥିବା ବିଜ୍ଞାପନ ହୋର୍ଡିଂଗୁଡ଼ିକୁ ଖୋଲାଯିବାର ନିର୍ଦ୍ଦେଶନାମା ରହିଛି। କିନ୍ତୁ ବିଜେଡି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଛି। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଏବେ ସୁଦ୍ଧା ରହିଥିବା ଭାଜପା ଅଭିଯୋଗ କରିଛି।