ଘୁଞ୍ଚିଲା ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ: ଏଥର ଆସିବକି ଓଡ଼ିଶାର ପ୍ରାର୍ଥୀଙ୍କ ନାଁ

ଭୁବନେଶ୍ୱର,୨୦।୩ : ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଘୁଞ୍ଚିଛି । ଆସନ୍ତା ୨୨ ତାରିଖରେ ବୈଠକ ହେବ ବୋଲି ସୂଚନା ମିଳିଛି । ୨୨ ତାରିଖରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଏଥର ପ୍ରାର୍ଥୀ ତାଲିକାରେ ଓଡ଼ିଶାର ପ୍ରାର୍ଥୀଙ୍କ ନାଁ ଆସିପାରେ । ମଙ୍ଗଳବାର ଓଡ଼ିଶାର ଭାଜପା ଟିକେଟ ନେଇ ରାତି ଅଧ ପର୍ଯ୍ୟନ୍ତ ବୈଠକ ବସିଥିଲା । ରାଜ୍ୟ ନେତୃତ୍ୱଙ୍କ ସହ ରାତି ଅଧ ପର୍ଯ୍ୟନ୍ତ ବୈଠକ କରିଥିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ସହ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସୋମବାର ମଧ୍ୟ ରାତି ୨ଟା ପର୍ଯ୍ୟନ୍ତ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ । ଭାଜପା ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ମାତ୍ର ୨୬୭ ଆସନ ମଧ୍ୟରୁ ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ନ ଥିଲା । ତେଣୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କୌଣସି ନେତାଙ୍କ ନାଁ ଘୋଷଣା ହେଉଛି କି ଆହୁରି ବିଳମ୍ବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।