ଭାଜପା ବୁଥ୍‌ ସଭାପତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା: କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲେ…

ମହାକାଳପଡ଼ା,୨୪।୬( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ ରାମନଗର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ବିଚ୍‌ ରାସ୍ତାରେ ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ହେଉଛନ୍ତି ତପନ ଦାସ (୫୫)। ସେ ଭାଜପା ବୁଥ୍‌ ସଭାପତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଉକ୍ତ ଗ୍ରାମର ସଞ୍ଜୟ ମଣ୍ଡଳ ନାମକ ଯୁବକ ଅତର୍କିତ ଭାବେ କାଠ ଫାଳିଆରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା କୁହାଯାଉଛି। ହତ୍ୟା କରିଥିବା ଯୁବକଙ୍କୁ ଗ୍ରାମ ଲୋକମାନେ ଅଟକ ରଖି ପୋଲିସକୁ ଜିମା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଘର ଲୋକଙ୍କ କହିବା ଅନୁସାରେ, ରାମନଗର ବଜାରରୁ ଫେରିବା ରାସ୍ତାରେ ହତ୍ୟାକାରୀ ସଞ୍ଜୟଙ୍କ ସହ କିଛି କଥାକୁ ନେଇ ରାତି ୧୧ ଟାରେ ବଚ୍‌ସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ କରିଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। କାଠ ଫାଳିଆ ମାଡ଼ରେ ମୃତକଙ୍କ ମସ୍ତିସ୍କ ଉପର ପଛ ଅଂଶ ରାସ୍ତାରେ ବିଛାଡ଼ି ହୋଇ ପଡ଼ିଛି ବୋଲି ଦେଖବାକୁ ମିଳିଛି। ଏହି ହତ୍ୟା ଘଟଣାରେ ଅନ୍ୟ କେତେକ ସଂପୃକ୍ତ ଥିବା ଆଲୋଚନା ହେଉଛି। ମୃତକଙ୍କ ଘରେ କାନ୍ଦ ବୋବାଳି ପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହତ୍ୟା ଘଟଣାରେ ମଣ୍ଡଳକୁ ପୋଲିସ ଅଟକ ରଖିଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଅନିତା ସ୍ବାଇଁଙ୍କ ମତାମତ ନେବାରେ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି।

 

 

Odisha’s No.1 Odia Daily

Share