ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଲେ ଭାଜପା, କଂଗ୍ରେସ

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଛି ଛକାପଞ୍ଝା । ଏଭଳି ସ୍ଥିତିରେ ସୋମବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଜିଲା ପରିଷଦ ଜୋନ-୨ରୁ ଦଳୀୟ ପ୍ରାର୍ଥିନୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ଉଭୟ ଭାଜପା, କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା । ଅନ୍ୟପକ୍ଷେ ଆନୁଷ୍ଠାନିକ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥିନୀ ଏହି ଆସନରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ଅମ୍ବାଭୋନା ବ୍ଲକ ଜିଲା ପରିଷଦ ଜୋନ-୨ ଅନୁସୂଚିତ ଜନଜାତି(ଏସ୍‌ଟି) ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ଆସନ ପାଇଁ ଭାଜପାରୁ ବିନୋଦିନୀ ରାୟ, କଂଗ୍ରେସରୁ ପଦ୍ମିନୀ ଭୁଏ ଏବଂ ବିଜେଡ଼ିରୁ କଳ୍ପନା ପଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସବୁ ପ୍ରାର୍ଥିପତ୍ର କାଏମ ରହିଥିଲା । ହେଲେ ସୋମବାର ଭାଜପା ପ୍ରାର୍ଥିନୀ ରାୟ ଏବଂ କଂଗ୍ରେସ ପ୍ରାର୍ଥିନୀ ଭୁଏ ନିଜ ପ୍ରାର୍ଥିପତ୍ର ପ୍ରାତ୍ୟାହାର କରି ନେଇଥିବା ସୂଚନା ମିଳିଛି। ଫଳରେ ବିଜେଡ଼ି ପ୍ରାର୍ଥିନୀ ପଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି।

ଏହି ସମ୍ପର୍କରେ ଭାଜପା ଜିଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ ଏବଂ ଅମ୍ବାଭୋନା ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ପଟେଲ ଦଳୀୟ ପ୍ରାର୍ଥିନୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ସ୍ବିକାର କରିଥିବା ବେଳେ ଶାସକ ବିଜେଡ଼ିର ବାହୁବଳ, ଅର୍ଥବଳରେ ଦଳୀୟ ପ୍ରାର୍ଥିନୀ ପ୍ରାର୍ଥିପତ୍ର ପ୍ରତ୍ୟାହାରର କରିବାକୁ ବାଧ୍ୟ ହୋଇଛନ୍ତି। ଏହା ଗଣତନ୍ତ୍ର ପାଇଁ ଶୁଭ ସଂକେତ ନୁହେଁ ବୋଲି କହିଛନ୍ତି।