ଭାଜପା କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଛେଣ୍ଡିପଦା,୧୬ା୪(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦୁର୍ଗାପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପ୍ରଧାନସାହି ତ୍ରିନାଥ ମଣ୍ଡପରେ ଶୋଇଥିବା ଭାଜପା କର୍ମୀ ସାଗର ପ୍ରଧାନ (୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ବିଜେଡିର ୪ କର୍ମୀଙ୍କ ସମ୍ପୃକ୍ତି ସହ ୨ଜଣ ବରିଷ୍ଠ କର୍ମୀଙ୍କ ପ୍ରରୋଚନାରେ ଏହି ହତ୍ୟାକାଣ୍ଡ ଘଟାଯାଇଥିବା ମୃତ ସାଗରଙ୍କ ସ୍ତ୍ରୀ ରେଣୁବାଳା ପ୍ରଧାନ, ଭାଇ ସୁଶାନ୍ତ ପ୍ରଧାନ ଓ ପୁଅ ସୁଜିତ ପ୍ରଧାନ ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର ସହ ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ଗୋବିନ୍ଦ ପ୍ରଧାନଙ୍କୁ ବକଳା ଜଙ୍ଗଲରୁ ଗିରଫ କରିଛି।
ପୋଲିସ କହିଛି, ଗତ ପଞ୍ଚାୟତ ନିର୍ବାଚନରେ ଭାଜପା କର୍ମୀ ସାଗରଙ୍କ ସମେତ କେତେଜଣ ଯୁବକ ଅଭିଯୁକ୍ତ ଗୋବିନ୍ଦଙ୍କୁ ମାର୍‌ପିଟ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଗୋବିନ୍ଦ ସୁଯୋଗ ଅପେକ୍ଷାରେ ଥିଲେ। ଗୁରୁବାର ଦଣ୍ଡ ନୃତ୍ୟ ଦେଖି ରାତି ପ୍ରାୟ ୩ଟାରେ ଗୋବିନ୍ଦ ଘରକୁ ଫେରିବାବେଳେ ସାଗର ତ୍ରିନାଥ ମଣ୍ଡପରେ ଶୋଇଥିବା ଦେଖିବାକୁ ପାଇଥିଲେ। ମଣ୍ଡପରେ ଆଉ କେହି ନ ଥିବାରୁ ଗୋବିନ୍ଦ ଘରୁ ଏକ ଟାଙ୍ଗିଆ ଆଣି ସାଗରଙ୍କ ବେକକୁ ଚୋଟ ପକାଇ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ଥାନା ଅଧିକାରୀ ସରୋଜକାନ୍ତ ସାମଲ, ଏସ୍‌ଆଇ ଗଙ୍ଗାଧର ମେହେରା ଓ ଆଦିତ୍ୟ ପଟ୍ଟନାୟକ ସାଇଣ୍ଟିଫିକ୍‌ ଟିମ୍‌ ସହ ସକାଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଥାନାରେ ନଂ ୧୨୬/୨୨ରେ ମାମଲା ରୁଜୁ କରାଯାଇ ଫେରାର ଥିବା ଅଭିଯୁକ୍ତଙ୍କୁ ଜଙ୍ଗଲରୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତ ରୋଷେଇ ଘରେ ଲୁଚାଇ ରଖିଥିବା ଟାଙ୍ଗିଆକୁ ଜବତ କରାଯାଇଥିବା ପୋଲିସ ପ୍ରକାଶ କରିଛି।