ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ଅଣ୍ଟା ଭିଡ଼ୁଛି ଭାଜପା: ୩ ନୂଆ କମିଟି ଗଠନ

ଭୁବନେଶ୍ୱର ୨୭।୬(ବ୍ୟୁରୋ): ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଭାଜପା ସାଂଗଠନିକସ୍ତରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ତେବେ ବିଜେଡି ସଂଗଠନକୁ କ୍ରିୟାଶୀଳ କରିବାକୁ ରବିବାର ଜିଲା ପର୍ଯ୍ୟବେକ୍ଷକ ତାଲିକା ଜାରି କରିଥିବାବେଳେ ଭାଜପା ୩ଟି ନୂଆ କମିଟି ଘୋଷଣା କରିଛି। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରବିବାର ୩ଟି କମିଟି ଗଠନ କରାଯାଇଛି।
ସହରାଞ୍ଚଳ, ପଞ୍ଚାୟତ ଏବଂ ସୀମା ସୁରକ୍ଷା ପାଇଁ ଏହି ରାଜ୍ୟ କମିଟି ସୃଷ୍ଟି କରାଯିବା ସହ ଏହାର ଅଧ୍ୟକ୍ଷ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି।
ସହରାଞ୍ଚଳ କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ କେଭି.ସିଂହଦେଓ ଓ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ସେହିପରି ପଞ୍ଚାୟତ କମିଟି ରାଜ୍ୟ ଅଧ୍ୟକ୍ଷ ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ସଂଯୋଜକ ଭାବେ ଶଙ୍କର ପରି ଏବଂ ସୀମା ସୁରକ୍ଷା କମିଟିର ରାଜ୍ୟ ଅଧ୍ୟକ୍ଷ ଭାବେ ଏମ୍‌ପି ବସନ୍ତ ପଣ୍ଡା ଓ ସଂଯୋଜକ ଭାବେ ସଞ୍ଜିବ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଭାଜପା ମିଡିଆ ସେଲ ପକ୍ଷରୁ ସୂଚନା ମିଳିଛି।

Share