ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ନାରୀ ନିର୍ଯାତନା ବଢି ଚାଲିଛି । ଗତ ୨ବର୍ଷ ମଧ୍ୟରେ ଓଡିଶା ନାରୀ ନିର୍ଯାତନା କ୍ଷେତ୍ରରେ ଦେଶରେ ଏକ ନମ୍ବର ହୋଇଛି । ଅନ୍ୟପଟେ ୨୦୨୩ ମସିହାରୁ ପାର୍ଲ୍ୟାମେଣ୍ଟରେ ଗୃହୀତ ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଲାଗୁ କରି ନାହାନ୍ତି । ଏଭଳି ଅଭିଯୋଗ କରି ଶୁକ୍ରବାର ବରଗଡ଼ ସହରରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ନାରୀ ଅଧିକାର ଅଭିଯାନ। ଏହି କ୍ରମରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ହଜାର ହଜାର ମହିଳା ଓ ଦଳୀୟ କାର୍ଯ୍ୟକର୍ତ୍ତା ସମବେତ ହୋଇଥିଲେ। ସେଠାରୁ ସେମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପକୁ ପହଞ୍ଚି ଥିଲେ । କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିଲା ମହିଳା ସମାବେଶ ।
ବିରୋଧି ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଜୁ ମହିଳା ଜନତାର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଦଳର ଜୋନାଲ୍ ସଭାନେତ୍ରୀ ନୀଲ କୁମାରୀ ନାଏକ, ଜିଲା ସଭାନେତ୍ରୀ ତଥା ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ସମାବେଶରେ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ବର୍ଷିଥିଲେ ।
ପରେ ସମସ୍ତେ ବିକ୍ଷୋଭ ଶୋଭାଯାତ୍ରାରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ୨୦୨୩ ମସିହାରୁ ପାର୍ଲାମେଣ୍ଟରେ ଗୃହୀତ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ ଲାଗୁ ଟରାଯିବା ସହିତ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ଉପରେ ରୋକ୍ ଲଗାଇବା ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଦାବି କରିଛି ବିଜେଡି ।