ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି । ଏଥିରେ ଦେଶର ୨୨ ଲକ୍ଷରୁ ଊଦ୍ଧର୍ବ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତା ଯୋଗୁ ଏଭଳି ଘଟଣା ଘଟିଥିବା ବରଗଡ଼ ଜିଲା ବିଜେଡି ଅଭିଯୋଗ କରିଛି। ବିଜେଡି ପକ୍ଷରୁ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଛି ।
ଏଥି ସହିତ ଦେଶରେ ଡିଜେଲ, ପେଟ୍ରୋଲ ଓ ଜାଳେଣି ଗ୍ୟାସର ସଙ୍କଟ ତଥା ଅହେତୁକ ଦର ବୃଦ୍ଧି ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇବାରେ ବିଫଳ ହେବା ସହ ସାଧାରଣ ଜନତାଙ୍କ ଉପରେ ଦର ବୃଦ୍ଧି ବୋଝ ଲଦି ଦେଇଥିବା ପ୍ରତିବାଦରେ ଶନିବାର ବରଗଡ଼ ଜିଲା ବିଜେଡି ପକ୍ଷରୁ ଜିଲା ସଭାପତି ସୁଶାନ୍ତ ମହାପାତ୍ର, ଜିଲା ଯୁବ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ,ଜିଲା ଛାତ୍ର ବିଜେଡି ସଭାପତି କରନ ସିକନ୍ଦରଙ୍କ ତତ୍ୱାବଧାନରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବରଗଡ଼ ଗାନ୍ଧୀଛକରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ କୁଶ ପୁତ୍ତଳିକା ଦାହ ସହିତ କେନ୍ଦ୍ର ସରକାର ବିରୋଧରେ ଦୃଢ଼ ପ୍ରତିବାଦ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବରଗଡ଼ ପୌର ଅଧ୍ୟକ୍ଷା କଳ୍ପନା ମାଝୀ , ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଅମର ନାଥ ଭୋଇ,ସବିଜେଡି ଜିଲ୍ଲା ଉପ ସଭାପତି କିଶୋର ମିଶ୍ର ,ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଚନ୍ଦନ ଗୁପ୍ତା, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ଆଲୋକ ପ୍ରଧାନ ରାଜ୍ୟ ଯୁବ ବିଜେଡି ଉପସଭାପତି ସୁବ୍ରତ ସିଂ, ବରଗଡ଼ ଟାଉନ ବିଜେଡି ସଭାପତି ଅନୁପ ଶତପଥି, ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକ, ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା, ଉମା ଚରଣ ରାଉତ, କମଳ ତାଣ୍ଡି, ସୁନନ୍ଦା ପଣ୍ଡା, ଜ୍ୟୋତ୍ସ୍ନା ପାଇକ, ଶୈଳେଶ ନାୟକ, ଅବିନାଶ ମଲ୍ଲିକ, ର୍ନିମଳ କୁଅଁର, ଉପେନ୍ଦ୍ର ମହାପାତ୍ର,ମହେଶ ଗଡ଼ତିଆ, ଖିତେଶ୍ୱର୍ କୁମ୍ଭାର, ସମୀର ବାରିକ, ଏମଡି ଜମିର ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ଥିଲେ।