ବାରିପଦା,୧୮।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରୀ ମୃତ୍ୟୁ ଓ ୧୪୬ରୁ ଅଧିକ ଅସୁସ୍ଥ ଘଟଣାରେ ଶନିବାର ବିଜେଡି ପକ୍ଷରୁ ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ଫଳରେ ସମଗ୍ର ଜିଲାରେ ପ୍ରଭାବ ପଡିଛି । କଂଗ୍ରେସ ଦଳ ସମର୍ଥନ ଜଣାଇଥିବାବେଳେ ଉଭୟ ଦଳର କର୍ମୀଙ୍କ ପିକେଟିଂ ଯୋଗୁ ବିଭିନ୍ନ ସ୍ଥାନରେ ଯାନବାହନ, ବସ୍, ଟ୍ରକ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ଶୁକ୍ରବାର ସନ୍ଧ୍ୟାରେ ଏନେଇ ବିଜେଡି ପକ୍ଷରୁ ବାଇକ ରାଲି ଯୋଗେ ବାରିପଦା ସହରର ବ୍ୟବସାୟୀ ଓ ଜନସାଧାରଣଙ୍କୁ ସମର୍ଥନ ପାଇଁ ନିବେଦନ କରାଯାଇଥିଲା । ବିଜେଡି ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଡା. ଦେବାଶିଷ ମାରାଣ୍ଡିଙ୍କ ସମେତ ଜିଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଶ୍ରୀନାଥ ସୋରେନ, ଗଣେଶ୍ବର ପାତ୍ର, ରାଇସେନ ମୁର୍ମୁ, ଚକ୍ର ଧର ହେମ୍ବ୍ରମ, ପ୍ରୀତିନନ୍ଦା କାନୁନଗୋ, ଅନୁସୂୟା ପାତ୍ର, ସୁବ୍ରମଣ୍ୟମ ମହାନ୍ତି ଦେବାଶିଷ ମହାନ୍ତି, ଜୀତେନ୍ଦ୍ର ମହାନ୍ତି, ଉପନଗରପାଳ ସୀମା ଦାସ, ଦୀପ୍ତିଲତା ମିଶ୍ର, ଅରୁଣ ବରାଡ, ସୁନୀଲ ନାୟକ, ଆଶୀର୍ବାଦ ବେହେରା, ରାଜୀବ ଜେନା, ଚିତ୍ରେଶ୍ବର ବେହେରା, ଦିପକ ମଢୁଆଳ ପ୍ରମୁଖ ନେତୃତ୍ୟରେ ବିଭିନ୍ନ ସ୍ଥାନରେ ହରତାଳ ଜାରି ରହିଛି । ତେବେ ଅତ୍ୟାବଶକ ସେବାକୁ ହରତାଳରୁ ବାଦ୍ ଦିଆଯାଇଛି । ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ, କଚେରୀ, ପେଟ୍ରୋଲ ପମ୍ପ ଆଦି ବନ୍ଦ ରହିଛି । ସମଗ୍ର ଜିଲାରେ କଂଗ୍ରେସ ଦଳ ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ ଓ ଭୂବନ ସାହୁଙ୍କ ନେତୃତ୍ୟରେ କର୍ମୀ ହରତାଳରେ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ ଉନ୍ନୟନ ବିଭାଗରେ ପରିଚାଳିତ ମୟୂରଭଞ୍ଜ ଜିଲାର ସମସ୍ତ ଆବାସିକ ଶିକ୍ଷାନୁଷ୍ଠାନରେ ଘଟଣାର ପୁନରାବୃତ୍ତି ନ ହେବା, ଘଟଣାର ନ୍ୟାୟିକ ତଦନ୍ତ ସହିତ ଜଡ଼ିତ ଅଧିକାରୀଙ୍କ ବିରୋଧ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ, ମୃତ ଛାତ୍ରୀର ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ସହିତ ବାପା କିମ୍ବା ମା’ଙ୍କୁ ସରକାରୀ ଚାକିରି ଯୋଗାଇଦେବା ନେଇ ଦୁଇ ଦଳର ଦାବି ଓ ଆଭିମୁଖ୍ୟ ସମାନ ଥିବାରୁ ଡବଲ ଇଞ୍ଜିନ ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ ମିଳିତ ଭାବେ ପ୍ରଦର୍ଶନ କରାଯାଉଛି ବୋଲି ଉଭୟ ଦଳର ନେତୃବୃନ୍ଦ କହିଛନ୍ତି ।