୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ବାଚସ୍ପତିଙ୍କୁ ଲିଖିତ ଜଣାଇଲା ବିଜେଡି

ଭୁବନେଶ୍ୱର, ୨୮।୪(ସୁନିତ୍‌ ମିଶ୍ର):ଗତ ରାଜ୍ୟ ସଭା ନିର୍ବାଚନରେ ଦଳ ବିପକ୍ଷରେ ଭୋଟ୍‌ ଦେଇଥିବା ୮ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍‌ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ, ନବ କିଶୋର ମଲିକ, ଚକ୍ରମଣି କହଁର, ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ପକ୍ଷରୁ ସୋମବାର ଦାବି କରାଯାଇଛି। ବିଜେଡି ବିଧାୟକମାନେ ମିଳିତ ଭାବେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଲିଖିତ ଭାବେ ୮ ବିଧାୟକଙ୍କ ସଭ୍ୟପଦ ସମ୍ବିଧାନର ଅନୁଚ୍ଛେଦ ୧୦ ଅନୁଯାୟୀ ରଦ୍ଦ କରିବାକୁ ଜଣାଇଛନ୍ତି। ଉକ୍ତ ୮ ବିଧାୟକ ବର୍ତ୍ତମାନ ଦଳରେ ନିଲମ୍ବିତ ହୋଇ ରହିଛନ୍ତି। ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସନାତନ ଏବଂ ଅରବିନ୍ଦ ଦଳ ବିରୋଧୀ କାର୍ଯ୍ୟ ଲାଗି ନିଲମ୍ବିତ ହୋଇଥିଲେ। ଏହାପରେ ସେମାନଙ୍କ ସମେତ ଅନ୍ୟ ୬ ଜଣ ରାଜ୍ୟ ସଭା ନିର୍ବାଚନରେ ଭୋଟ୍‌ କ୍ରସ୍‌ କରି ନିଲମ୍ବିତ ହୋଇଥିଲେ। ଏହି ସମସ୍ତ ବିଧାୟକ ଦଳ ବିରୋଧରେ ବିଭିନ୍ନ ସ୍ଥାନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହିତ ଅନ୍ୟାନ୍ୟ ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ବାଚସ୍ପତିଙ୍କ ନିକଟରେ ବିଜେଡି କହିଛି। ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସର ୩ ଜଣ ବିଧାୟକ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଏବଂ ଦାଶରଥି ଗମାଙ୍ଗ କ୍ରସ୍‌ ଭୋଟିଂ କରିବା ସହିତ ଦଳରୁ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସଭା ନିର୍ବାଚନ ପରେ ପରେ କଂଗ୍ରେସ ସେହି ୩ ଜଣଙ୍କ ସଭ୍ୟ ପଦ ରଦ୍ଦ ଲାଗି ବାଚସ୍ପତିଙ୍କ ନିକଟରେ ବହୁ ଆଗରୁ ଲିଖିତ ଭାବେ ଜଣାଇ ସାରିଛି। ମାତ୍ର ବିଜେଡି କାହିଁକି ଏତେ ବିଳମ୍ବରେ ତାଙ୍କ ଦଳର ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ଦାବି କଲା ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

ବିଜେଡି ବିଧାୟକମାନେ ସୋମବାର ପୂର୍ବାହ୍ନ ୧୧ଟାରେ ପ୍ରଥମେ ଶଙ୍ଖ ଭବନଠାରେ ଏକାଠି ହୋଇଥିଲେ। ସେଠାରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ବିଷୟରେ ଆଲୋଚନା ହୋଇଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ନବୀନ ନିବାସରୁ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ଲିଖିତ ପତ୍ର ଆଣିବାରେ ବିଳମ୍ବ କରିଥିଲେ। ମାତ୍ର ବିଧାୟକମାନେ ଶଙ୍ଖ ଭବନରେ ଅପେକ୍ଷା କରି ରହିଥିଲେ। ପ୍ରମିଳା ଶଙ୍ଖ ଭବନରେ ପହଞ୍ଚିବା ପରେ ସବୁ ବିଧାୟକ ଏକାଠି ବାହାରି ବିଧାନସଭାରେ ପହଞ୍ଚିଥିଲେ। ଏହାପରେ ବାଚସ୍ପତିଙ୍କୁ ଭେଟି ଦଳ ତା’ର ଦାବି ଜଣାଇଛନ୍ତି।
ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଯେଉଁ ବିଧାୟକମାନେ ବିଭିନ୍ନ ସମୟରେ ଦଳର ହ୍ବିପ୍‌ ମାନିନାହାନ୍ତି, ଅନେକ ସମୟରେ ଦଳ ବିରୋଧୀ ମନ୍ତବ୍ୟ ରଖିଛନ୍ତି ଏବଂ ସ୍ବେଚ୍ଛାକୃତ ଭାବେ ଦଳରେ ନାହାନ୍ତି ବୋଲି କହିଛନ୍ତି, ଅନୁଚ୍ଛେଦ ୧୦ ଅନୁଯାୟୀ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବାଚସ୍ପତିଙ୍କୁ କୁହାଯାଇଛି। ବିଭିନ୍ନ ଆଇନ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବା ପରେ ଯେଉଁ ବିଧାୟକମାନେ ଦଳର ସମ୍ବିଧାନକୁ ଅବମାନନା କରିଛନ୍ତି, ସେମାନଙ୍କ ସଭ୍ୟପଦ ରଦ୍ଦ ହୋଇପାରିବ ବୋଲି ସ୍ପଷ୍ଟ ହେଇଛି। ରାଜ୍ୟ ସଭା ନିର୍ବାଚନର ୩ ଦିନ ପୂର୍ବରୁ ଦଳର ମୁଖ୍ୟ ସଚେତକ ଏକ ହ୍ବିପ୍‌ ଜାରି କରିଥିଲେ। ସେହି ହ୍ବିପ୍‌ରେ ସେ ଉଲ୍ଲେଖ କରିଥିଲେ, ୩ ଦିନ ଭିତରେ କେହି ବିଧାୟକ ଭୁବନେଶ୍ୱର ଛାଡ଼ିବେ ନାହିଁ, ଦଳର ଯେଉଁ କାର୍ଯ୍ୟକ୍ରମ ହେବ ସେଥିରେ ଯୋଗଦେବେ। ମାତ୍ର ନିଲମ୍ବିତ ବିଧାୟକମାନେ ତାକୁ ଅବମାନନା କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ କ୍ରସ୍‌ ଭୋଟ୍‌ କରିଲେ। ଏହାସହ ଦଳ ବିରୋଧରେ ମନ୍ତବ୍ୟ ରଖି ସେମାନେ ସ୍ବେଚ୍ଛାକୃତ ଭାବେ ଦଳରେ ରହିବେ ନାହିଁ ବୋଲି ଦର୍ଶାଇ ସାରିଛନ୍ତି।
ପ୍ରମିଳା ମଲିକ କହିଛନ୍ତି, କ୍ରସ୍‌ ଭୋଟିଂ କରିବା ସହ ଦଳ ବିରୋଧରେ ବାରମ୍ବାର ମନ୍ତବ୍ୟ ରଖୁଥିବା ବିଧାୟକମାନେ ଯଦି ଏତେ ଲୋକପ୍ରିୟ ତେବେ ସେମାନେ ଇସ୍ତଫା ଦେଇ ସ୍ବାଧୀନ ଭାବେ ନିର୍ବାଚନ ଲଢନ୍ତୁ। ଅନ୍ୟ ରାଜ୍ୟରେ ଯେପରି ଆଇନ ଅନୁଯାୟୀ ଦଳ ବିରୋଧରେ କାର୍ଯ୍ୟ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ହୋଇଛି, ସମାନ ନିୟମ ଏଠାରେ ମଧ୍ୟ ଲାଗୁ ହେଉ। ନିଲମ୍ବିତ ୮ ବିଧାୟକ ଯେମିତି ବାରମ୍ବାର ଦଳ ଏବଂ ଦଳର ନେତାଙ୍କ ବିରୋଧରେ ମନ୍ତବ୍ୟ ରଖୁଛନ୍ତି ଏହା ସେମାନଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଯଥେଷ୍ଟ ବୋଲି ପ୍ରମିଳା କହିଛନ୍ତି।
ଭାଜପା ନେତା ତଥା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜେଡି ନିୟମ କାନୁନ କିଛି ଜାଣିନାହିଁି। ଜଣେ ବିଧାୟକଙ୍କୁ ନିଲମ୍ବିତ କରିବା ପରେ ସେ ଆଉ ସେହି ଦଳର ସଭ୍ୟ ରୁହନ୍ତି ନାହିଁ। ଯିଏ ସଭ୍ୟ ନୁହେଁ, ସେମାନଙ୍କ କ୍ଷେତ୍ରରେ ହ୍ବିପ୍‌ କାମ କରେନାହିଁ। ହ୍ବିପ୍‌ କି ଆଣ୍ଟି ଡିଫେକ୍ସନ ଆକ୍ଟ ଜାଣନ୍ତି ନାହିଁ। ନ ଜାଣିଲେ କିଛି ଅସୁବିଧା ନାହିଁ, ସେମାନଙ୍କୁ ବୁଝାଇବା ପାଇଁ ଆମେ ଅଛୁ ବୋଲି ପୂଜାରୀ କହିଛନ୍ତି।

 

Dharitri – Odisha’s No.1 Odia Daily