ପୁଣି ବିଜେଡି ହାତରେ ତିର୍ତ୍ତୋଲ

ଜଗତ୍‌ସିଂହପୁର ଅଫିସ, ୧୦ା୧୧-ତିର୍ତ୍ତୋଲ ଉପନିର୍ବାଚନରେ ପୁଣି ବିଜେଡି ବାଜିମାତ୍‌ କରିଛି। ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଜକିଶୋର ବେହେରାଙ୍କ୪୧,୭୦୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ୩ୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକ। କିନ୍ତୁ ଏହି ଉପନିର୍ବାଚନରେ ବିଜେଡି ଓ ଭାଜପା ସପକ୍ଷରେ ଯେତିକି ଭୋଟ ଯିବ ବୋଲି ଦଳୀୟ ନେତୃତ୍ୱ ଆଶା ରଖିଥିଲେ ତାହା ଦେଖିବାକୁ ମିଳିନି । କଂଗ୍ରେସର ସ୍ଥିତି ସମ୍ପୂଣ୍ଣର୍ର୍ ଖରାପ ହୋଇଯାଇଛି। ବିଜେଡି ପ୍ରାର୍ଥୀ ବିଜୟଲାଭ କରି ପୁରୁଣା ଧାରାକୁ ବଜାୟ ରଖିଛନ୍ତି । ବିଜୟଙ୍କ ବିଜୟ ଲାଭ ପରେ ଜିଲାରେ ବିଶେଷକରି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । କୋଭିଡ୍‌ କଟକଣା ଯୋଗୁ ଯଦିଓ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବରେ ଉତ୍ସବ ଆୟୋଜନ କରାଯାଇନାହିଁ। କିନ୍ତୁ ଦଳୀୟ ନେତା ଓ କର୍ମୀ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ନାରାବାଜି କରି ବାଜା ବଜାଇ ଆତସବାଜୀ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତିି । ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିଲା । ଗଣତିର ପ୍ରଥମ ରାଉଣ୍ଡ ଫଳ ପ୍ରକାଶ ପାଇବା ପରଠୁ ବିଜେଡି କର୍ମୀ ଉଲ୍ଲସିତ ହୋଇପଡିଥିଲେ। ପ୍ରତି ରାଉଣ୍ଡ ପରେ ଦଳୀୟ କର୍ମୀମାନେ ମହାବିଦ୍ୟାଳୟ ଫାଟକ ବାହାରେ ଭିଡ଼ ଜମାଇ ବିଜେଡି ସପକ୍ଷରେ ସ୍ଲୋଗାନ ଦେଉଥିଲେ। ଅପରପକ୍ଷେ ଭାଜପା ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖିବାକୁ ମିଳିଥିଲା।