ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ସାଧାରଣ ନିର୍ବାଚନ ପରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳାରୁ ଲିଭିଯିବ କି ଶଙ୍ଖ ଚିହ୍ନ। ଏମିତି ଆଲୋଚନା ବଜାର ଘାଟରେ ଶୁଣିବାକୁ ମିଳୁଛି। କାରଣ ଆଉ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦେଖା ଯାଉନି ଶଙ୍ଖ ଚିହ୍ନର ପୋଷ୍ଟର, ବ୍ୟାନର। କେବଳ ଚାରିଆଡ଼େ ଦିଶୁଛି ପଦ୍ମ ଚିହ୍ନ।
ବର୍ତ୍ତମାନ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏକ ପ୍ରକାର ନିର୍ବାଚନର ମାହୋଲ ଦେଖିବାକୁ ମିଳୁଛି। ଆସନ୍ତାକାଲି ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ହେବାକୁ ଯାଉଛି ଭାଜପାର ସମ୍ବର୍ଦ୍ଧନା ସଭା ଓ ମହାମିଶ୍ରଣ ପର୍ବ । ଯେଉଁଠି ସାମିଲ ହେବେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ମନ୍ତ୍ରୀ ସାଂସଦ ଏବଂ ବିଧାୟକ। ମିଶିବେ ଅନେକ ଟାଣୁଆ ନେତା, ଅନେକ ପଞ୍ଚାୟତ ଓ ଜୋନ୍ ସଭାପତି, ବିଭିନ୍ନ ସରପଞ୍ଚ ଏବଂ ସମିତି ସଭ୍ୟ । ସେଥିପାଇଁ ଧର୍ମଶାଳାରେ ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।
୨୦୨୪ ସାଧାରଣ ନିର୍ବାଚନ ପରଠାରୁ ଧର୍ମଶାଳାରେ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ବିଜେଡି କର୍ମୀମାନେ ଭାଜପା ଦଳରେ ସାମିଲ ହେଉଛନ୍ତି। ଆସନ୍ତା ୧୦ ତାରିଖ ଅର୍ଥାତ୍ କାଲି ହେବାକୁ ଯାଉଛି ଏକ ବଡ଼ ମିଶ୍ରଣ ପର୍ବ । ପୋଲିସ ଅଧିକାରୀମାନେ ପହଞ୍ଚି ସ୍ଥିତି ପରଖୁଛନ୍ତି। ନିର୍ବାଚନ ମାହୋଲ ପରି ପଂଚାୟତ ଓ ଗାଁ ଗାଁରେ କର୍ମୀମାନଙ୍କ ମଧ୍ୟରେ ଘନ ଘନ ବୈଠକ ଦେଖିବାକୁ ମିଳୁଛି। ଗତ ମାସରେ ୭୫ରୁ ଊଦ୍ଧର୍ବ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଶିବିର ଛାଡ଼ି ବିଧାୟକ ହିମାଂଶୁ ସାହୁଙ୍କ ଶିବିରରେ ସାମିଲ ହେବା ପରେ ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ବାଧ୍ୟ ହୋଇ ଅନାସ୍ଥା ଭୋଟିଂ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଦଳରେ ସାମିଲ ହୋଇ ଥିବା ଜନ ପ୍ରତିନିଧିଙ୍କ ସମର୍ଥକମାନେ ଆସନ୍ତାକାଲି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶିବିରରେ ସାମିଲ ହେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫୦ହଜାରରୁ ଊଦ୍ଧର୍ବ କର୍ମୀମାନଙ୍କୁ ନେଇ ଏହି ସଭାର ଆୟୋଜନ ପାଇଁ ଏକ ପ୍ରକାର ପ୍ରସ୍ତୁତି ଶେଷ ଚୁଡାନ୍ତରେ। ଧର୍ମଶାଳାରୁ ବିଜେଡି ଦଳ ସମ୍ପୂର୍ଣ୍ଣ ସଫା ହୋଇ ଯିବ କାରଣ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟ କର୍ମୀମାନଙ୍କ ସହ ସୁସମ୍ପର୍କ ରଖି ପାରିନାହାନ୍ତି । ଯାହା ଫଳରେ ସାଧାରଣ ଲୋକେ ଓ କର୍ମୀ ସେ ଦଳ ଛାଡ଼ି ତାଙ୍କ ଶିବିରରେ ସାମିଲ ହେଉ ଥିବା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି।


