ଭୁବନେଶ୍ୱର, ୨୬।୫: ଭାଜପାରେ ମିଶିଲେ ପୂର୍ବତନ ରାଜ୍ୟ ସଭା ଏମ୍ପି ଦେବାଶିଷ ସାମନ୍ତରାୟ। ମଙ୍ଗଳବାର ଦିଲ୍ଲୀ ଭାଜପା ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ମିଶିଛନ୍ତି ଦେବାଶିଷ।
ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। । ସେ ଅଭିଯୋଗ କରିଥିଲେ ଯେ ସେ ଦଳ ଭିତରେ ଅପମାନିତ ଏବଂ ଅବମାନିତ ଅନୁଭବ କରୁଛନ୍ତି। ଏହାର ପ୍ରତିକ୍ରିୟାରେ ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି, “ଏହି ଦାବି ଆଶ୍ଚର୍ଯ୍ୟଜନକ, କାରଣ ଦଳ ତାଙ୍କୁ ଲଗାତାର ପାଞ୍ଚ ଥର ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଥିଲା।”
ସେ କହିଛନ୍ତି ଯେ ଦେବାଶିଷ ସାମନ୍ତରାୟ ତିନୋଟି ବିଧାନସଭା ନିର୍ବାଚନ ଜିତିଥିଲେ ଏବଂ ଦୁଇଟିରେ ବିଜେଡି ଟିକେଟରେ ପରାସ୍ତ ହୋଇଥିଲେ, କିନ୍ତୁ ଏହା ସତ୍ତ୍ୱେ, ଦଳ ଏବଂ ନବୀନ ପଟ୍ଟନାୟକ ତାଙ୍କ ଉପରେ ବିଶ୍ୱାସ ବଜାୟ ରଖିଛନ୍ତି। ପରେ ତାଙ୍କୁ ରାଜ୍ୟ ସଭାକୁ ନିର୍ବାଚିତ କରାଯାଇଥିଲା ଏବଂ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା।
ବିଜେଡି ନେତା ଅଭିଯୋଗ କରିଛନ୍ତି ଯେ ନିକଟ ବର୍ଷଗୁଡ଼ିକରେ ଦେଶରେ ଏକ ରାଜନୈତିକ ଧାରା ପରିଲକ୍ଷିତ ହୋଇଛି, ଯେଉଁଥିରେ କିଛି ନେତା ଏକ ଦଳର ସମର୍ଥନରେ ରାଜ୍ୟ ସଭାରେ ପହଞ୍ଚିବା ପରେ ଅନ୍ୟ ଦଳରେ ଯୋଗ ଦିଅନ୍ତି।
ସେପଟେ ଭାଜପାରେ ମିଶିବା ପରେ ଦେବାଶିଷ ତାଙ୍କ ପ୍ରଥମ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟରେ ପ୍ରଭାବିତ ହୋଇ ଭାଜପାରେ ମିଶିଲି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନରେ ଓଡ଼ିଶା ବିକଶିତ ହେଉଛି। ଗୁଣ୍ଡୁଚି ମୂଷା ଭଳି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଓଡ଼ିଶାରେ ଭାଜପା ପାଇଁ ବହୁତ କାମ କରିବି, ଦଳକୁ ଆହୁରି ସୁଦୃଢ଼ କରିବି ।