ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ହେଲେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ପୀଡ଼ିତଙ୍କ ଦୁଃଖ ଶୁଣିବା ବଦଳରେ କାଳୀମନ୍ଦିର ଛକରେ ଚା’ ପିଇ ଚାଲିଯିବା ଘଟଣା ଲୋକଙ୍କୁ ନିରାଶ କରିଛି। ଏହି ଟିମ୍ର ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପ୍ରତାପ ଜେନା, ଶ୍ରୀକାନ୍ତ ସାହୁ, ମନ୍ମଥ ରାଉତରାୟ, ଭୃଗୁ ବକ୍ସିପାତ୍ର, ଜିଲା ସଭାପତି ବିକ୍ରମ ପଣ୍ଡା, ରମେଶ ଚ୍ୟାଉ ପଟ୍ଟନାୟକ, ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ରଞ୍ଜିତା ସାହୁ, ତୁମ୍ବନାଥ ପଣ୍ଡା, ସୁବାଶ ମହାରଣାଙ୍କ ସମେତ ଅନେକ ନେତା ଏହି ଟିମ୍ରେ ସାମିଲ ଥିଲେ। ସ୍ଥାନୀୟ ଲୋକେ ବିଜେଡି ଟିମ୍ ନିକଟରେ ନିଜ ଦୁର୍ଦ୍ଦଶା ଜଣାଇବାକୁ ଆଶା ବାନ୍ଧିଥିବାବେଳେ ଟିମ୍ର ଏଭଳି ଗସ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରି ପୁରୁଷୋତ୍ତମପୁରକୁ ସରକାରୀଦଳ ଅଣଦେଖା କରୁଥିବାବେଳ ବିରୋଧୀ ଦଳ ମଧ୍ୟ ଅଣଦେଖା କରି ଚାଲିଗଲା ବୋଲି କହିଛନ୍ତି। ତେବେ ରାତି ହୋଇଯାଇଥିବାରୁ ଚାଲିଯାଉଥିବା ଟିମ୍ ସଦସ୍ୟମାନେ କହି ଜିଲାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ କ୍ଷୟକ୍ଷତି ରିପୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯିବ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି।