ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳାଠାରୁ ବିଜେଡି କର୍ମୀ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚତ୍ ୫ ଦଫା ଦାବିପତ୍ର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କୁ ପ୍ରଦାନ କରିଥିଲେ। ଗୁଣପୁର ପୌର ପରିଷଦରେ ବ୍ୟାପକ ଦୁର୍ନୀତି ନେଇ ବିଜେଡି ପୌର ପରିଷଦ ଉପରେ ବର୍ଷିବା ସହ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି କରିଥିଲା l ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିବା ସହ ଅଡିଟ ବିଭାଗ ଦ୍ୱାରା ସ୍ବତନ୍ତ୍ର ଅଡିଟ କରିବାକୁ ଉପଜିଲାପାଳଙ୍କୁ ଅନୁରୋଧ କରିଥିଲେ। ସେହିଭଳି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଚାଷୀମାନେ ଧାନ ବିକିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିର ତୁରନ୍ତ ସମାଧାନ ପାଇଁ ନେତାମାନେ ଦାବି କରିଥିଲେ।
ଦାବିପତ୍ର ପ୍ରଦାନ ପରେ ନୂତନ ବସ୍ଷ୍ଟାଣ୍ଡ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପୌର ପରିଷଦ କାର୍ଯlଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମାବେଶରେ ଜିଲା ବିଜେଡି ସଭାପତି ଜଗନ୍ନାଥ ସାରକା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି , ଦେବାଶିଷ ଖାଡ଼ଙ୍ଗା, ବିଜୁ ଯୁବ ଜନତା ଦଳ ବରିଷ୍ଠ ଉପ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିଲା ବିଜେଡି ଛାତ୍ର କାର୍ଯ୍ୟକାରୀ ସଭାପତ ପି.ଗୌରୀ ଶଙ୍କର ରାଓଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l

