ଭାଜପା ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଦ୍ୱାର ଖୋଲିଦେଲା ବିଜେଡି

ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ଭାଜପା ଛାଡିବା ପରେ ସେ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଭୃଗୁଙ୍କ ପାଇଁ ମଧ୍ୟ ରାସ୍ତା ସଫା କରିଦେଇଛି ବିଜେଡି। କାରଣ ବିଜେଡି ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି କରିବା ସହ ମାନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଇଛି। ଏଥିରୁ ଯାହା ସ୍ପଷ୍ଟ ହେଉଛି, ବିଜେଡି ଏଥର ଚନ୍ଦ୍ରଶେଖରଙ୍କୁ ଟିକେଟ୍‌ ନ ଦେଇ ଏସବୁ ବଡ଼ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରିଦେଉଛି। ଯଦି ଭୃଗୁ ବକ୍ସିପାତ୍ର ବିଜେଡିରେ ଯୋଗ ଦିଅନ୍ତି ତେବେ ତାଙ୍କୁ ବ୍ରହ୍ମପୁର ଏମ୍‌ପି ପଦ ଦିଆଯାଇପାରେ।
ବୁଧବାର ସକାଳେ ଭାଜପାରୁ ଇସ୍ତଫା ଦେଇଥିଲେ। ସେ ନିଜ ଇସ୍ତଫା ପତ୍ରରେ ଲେଖିଥିଲେ, ଅତ୍ୟନ୍ତ ଦୁଃଖର ସହ ମୁଁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ଗତ ୨୩ବର୍ଷ ଧରି ଜଣେ ସଭ୍ୟ ଭାବରେ ରାଜ୍ୟରେ ପାର୍ଟିର ଉନ୍ନତି ପଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଓ ସ୍ଥିରତାର ସହ ତୁଲାଇଛି। ବିଭିନ୍ନ ସାଂଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ।କିନ୍ତୁ ଗତ କିଛିଦିନ ହେଲା ଦଳରେ ମୋ ସେବାପ ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି। ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି।’ ଲୋକଙ୍କ ସେବା ଏବଂ ଓ ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି। ମୋର ଇସ୍ତଫା ପତ୍ରକୁ ପାର୍ଟି ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି।
୨୦୧୯ ବ୍ରହ୍ମପୁର ଲୋକ ସଭା ଆସନ ଜିତିଥିଲେ ବିଜେଡିର ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪,୮୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଏହି ବିଜୟ ସହ ଚନ୍ଦ୍ରଶେଖର ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁରର ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୦୪ରେ ପ୍ରଥମ ଥର ପାଇଁ କଂଗ୍ରେସରୁ ଲଢ଼ି ଏମ୍‌ପି ହୋଇଥିଲେ। କେନ୍ଦ୍ରର ଉପା ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ହେଲେ ୨୦୦୯ ଏବଂ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୮ ଏପ୍ରିଲ ୪ ତାରିଖରେ ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ।