ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ଲଗାଉଛି ବିଜେଡି: ଭାଜପା

ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କାର୍ଯ୍ୟରେ ଲଗାଇବା ସହ ଲୋକଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ ଉଲ୍ଲଂଘନ କରୁଛି। ସାଧାରଣ ନିର୍ବାଚନ ହେଉ କି ଉପନିର୍ବାଚନ ସବୁବେଳେ ସରକାରୀ କର୍ମଚାରୀମାନେ ନିୟମ ଉଲ୍ଲଂଘନ କରିବା ସହ ବିଜେଡିର କର୍ମୀ ଭଳି ପ୍ରଚାର କରି ଆସୁଛନ୍ତି। ଶୁକ୍ରବାର ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର କୋଲାବିରା ବ୍ଲକ ଜିଲାପାଲି ଗ୍ରାମ ପଞ୍ଚାୟତର କମ୍ୟୁନିଟି ରିସୋର୍ସ ପର୍ସନ(ସିଆର୍‌ପି) ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜେଡି ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଥିଲେ। ସେହିପରି ସରବାହଲ ୧ ନମ୍ବର ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ୀ ଖୋଲାଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ନଁ।ରେ ପ୍ରଚାର କରୁଛନ୍ତି। ଏହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିବା ସହ ଲୋକପ୍ରତିନିଧି ଅଧିନିୟମ ୧୯୫୧ ଅନୁସାରେ ସରକାରୀ ଚାକିରି କରିଥିବା କୌଣସି ବ୍ୟକ୍ତି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରିବେ ନାହିଁ। ଚାକିରିରେ ଥାଇ ସରକାରୀ ତହବିଲରୁ ଟଙ୍କା ନେଇ ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଥିବା ଭାଜପା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଭାଜପାର ଏକ ପ୍ରତିନିଧି ଦଳ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
ଭାଜପା ଅଭିଯୋଗ କରିଛି ଯେ, ସରକାରୀ କର୍ମଚାରୀମାନଙ୍କୁ ନିଜ ଦଳ ସପକ୍ଷରେ ଲଗାଇ ପ୍ରଚାର କରିବା ବିଜେଡିର ଚିରାଚରିତ ଅଭ୍ୟାସ। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଝାରସୁଗୁଡ଼ାରେ ସରକାରୀ କଳ, ବଳ ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେଡି ଅପଚେଷ୍ଟା ଚଳାଇଛି ବୋଲି ଭାଜପା ମୁଖପାତ୍ର ସୋନାଲୀ ସାହୁ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍‌ ସେଲ୍‌ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।