ଚାଲିଛି ଗଣତି: ଜିଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଆଗରେ ବିଜେଡି

ବରଗଡ଼ ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ତେବେ ନିର୍ବାଚନ ମଇଦାନକୁ ପୁଣି ପ୍ରାର୍ଥିଭାବେ ଓହ୍ଲାଇଥିବା ୨ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଏବଂ ଗୀତାଞ୍ଜଳି ପୁଟା ଏପର୍ଯ୍ୟନ୍ତ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କଠାରୁ ବହୁ ପଛରେ ରହିଛନ୍ତ। ଖବର ଲେଖାହେବା ସୁଦ୍ଧା(ଅପରାହ୍ନ ୩ଟା ପର୍ଯ୍ୟନ୍ତ) ବରଗଡ଼ ଜୋନ୍‌-୧ରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ୁଥିବା ମୁକ୍ତାଙ୍କ ସପକ୍ଷରେ ୨୧୮୭ ଖଣ୍ଡ ଭୋଟ୍‌ ଯାଇଛି । ଅନ୍ୟପଟେ ବିଜେଡି ପ୍ରାର୍ଥିନୀ ପୁଷ୍ପା ଭୋଇ ତାଙ୍କଠାରୁ ୭୩୪ ଖଣ୍ଡ ଭୋଟ୍‌ ଅଧିକ ଅର୍ଥାତ୍‌ ୨୯୨୧ଖଣ୍ଡ ଭୋଟ୍‌ ପାଇଛନ୍ତି। ଏହି ଜୋନ୍‌ରେ କଂଗ୍ରେସ ପ୍ରାର୍ଥିନୀ ଦ୍ରୌପଦୀ ଭୋଇଙ୍କୁ ୩୧୮ ଖଣ୍ଡ ଭୋଟ୍‌ ମିଳିଛି। ସେହିପରି ପାଇକମାଲ ଜୋନ-୧ରୁ ବିଜେଡି ପ୍ରାର୍ଥିନୀଭାବେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ପୁଟା ନିର୍ବାଚନ ଲଢ଼ୁଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ସେ ୩୪୫୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅପରପକ୍ଷେ ଭାଜପା ପ୍ରାର୍ଥିନୀ ତ୍ରିପୁରା ବରିହା ବିଜେଡି ପ୍ରାର୍ଥିନୀ ପୁଟାଙ୍କଠାରୁ ୫୪୨ ଖଣ୍ଡ ଅଧିକ ଅର୍ଥାତ ୩୯୯୪ ଭୋଟ୍‌ ପାଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥିନୀ ରମ ନାଏକଙ୍କୁ ୭୩୮ ଖଣ୍ଡ ଭୋଟ୍‌ ମିଳିଛ।

ସୂଚନାଯୋଗ୍ୟ, ୨୦୧୨ରେ ବିଜେଡିରୁ ଜିତି ଗୀତାଞ୍ଜଳି ପୁଟା ଏବଂ ୨୦୧୭ରେ ଭାଜପାରୁ ଜିତି ମୁକ୍ତା ସାହୁ ଜିଲା ପରିଷଦ ଅଧ୍ୟକ୍ଷା ପଦବୀରେ ରହିଥିଲେ।