ବୀମା କମ୍ପାନୀଠୁ ବିଜେଡି ନେଇଛି ୧୦୦ କୋଟି: ଭାଜପା

ଭୁବନେଶ୍ବର, ୨୭ା୮(ବ୍ୟୁରୋ): ଚାଷୀର ବଳ କହୁୁଥିବା ବିଜେଡି ଏବେ ଚାଷୀଙ୍କ ସମସ୍ୟା ଓ ସଙ୍କଟ ବେଳେ ହାତବାନ୍ଧି ବସି ରହିବା ଦୁର୍ଭାଗ୍ୟଜନକ ବୋଲି ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦୀପ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, ୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲବୀମା କରିବା ପାଇଁ ରାଜ୍ୟ ସରକାର ଏକ ସଂସ୍ଥା ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ। ୨୦୨୦-୨୧ ଖରିଫ ବର୍ଷରେ ଅନାବୃଷ୍ଟି ଯୋଗୁ ଓଡ଼ିଶାର ବିଭିନ୍ନ ଜିଲାରେ ଭୟଙ୍କର ମରୁଡ଼ି ସ୍ଥିତି ଉପତ୍ନ୍ନ ହୋଇଥିଲା। ମରୁଡ଼ି ଆକଳନ କରିବା ପାଇଁ ବହୁଦିନରୁ ମିଳିତଭାବେ କୃଷି, ରାଜସ୍ବ, ପରିସଂଖ୍ୟାନ ବିଭାଗ ସହ ବୀମା କମ୍ପାନୀର ପ୍ରତିନିଧିମାନଙ୍କ ଉପସ୍ଥିତିରେ କ୍ରପ୍‌ କଟିଂ ରିପୋର୍ଟ ସଂଗ୍ରହ ହୋଇସାରିଛି। କ୍ରପ୍‌ କଟିଂ ଆଧାରରେ ପ୍ରିମିୟମ ଜମା କରିଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା କମ୍ପାନୀଗୁଡିକ ଯୋଗାଇଦେବା କଥା। ବୀମା କମ୍ପାନୀଗୁଡ଼ିକ ଓଡ଼ିଶାର ଚାଷୀଙ୍କୁ ବୀମା କ୍ଷତିପୂରଣ ଦେଉ ନ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକ ସଙ୍ଗଠନଗୁଡିକ ଦ୍ୱାରା ରାସ୍ତା, ରେଳ ବନ୍ଦ, ସରକାରୀ କାର୍ଯ୍ୟାଳୟଗୁଡିକରେ ତାଲା ବନ୍ଦ ଆନ୍ଦୋଳନ ଚାଲୁଛି। ବୀମା କମ୍ପାନୀଗୁଡିକ ଏବେ ଓଡ଼ିଶା ଚାଷୀଙ୍କ ସହ ଲୁଚକାଳି ଖେଳୁଛନ୍ତି। ସେପଟେ ବିଜେଡି ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ଏହି ବୀମା କମ୍ପାନୀ ଗୁଡ଼ିକଠାରୁ ୧୦୦ କୋଟି ଟଙ୍କା ନିର୍ବାଚନୀ ପାଣ୍ଠି ସଂଗ୍ରହକରି ସେମାନଙ୍କୁ ସୁରକ୍ଷା ଦେବାର କାମ କରୁଛନ୍ତି ବୋଲି ପୁରୋହିତ ଅଭିଯୋଗ କରିଛନ୍ତି। ଏଭଳି ଦୁର୍ବିପାକ ସମୟରେ ସରକାର କାହିଁକି ଚାଷୀଙ୍କୁ ସହାୟତା ଯୋଗାଇ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।