ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା। ମୃତା ମହିଳା ହେଲେ ବଲାଙ୍ଗୀର ସହର ତାଲପାଲିପଡ଼ାର ସୁନୀତା ନାଗ(୪୦) ଓ ତାଙ୍କ ଝିଅ ସୁଷମା (୨୦)। ସୁନୀତା ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ତାଙ୍କୁ ହସ୍ପିଟାଲରେ ଛାଡ଼ିବା ପାଇଁ ଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନାନୁଯାୟୀ, ବଲାଙ୍ଗୀର ସହର ତାଲପାଲିପଡ଼ା ଘରୁ ମା’ ସୁନୀତାଙ୍କୁ ସ୍କୁଟିରେ ବସାଇ ଝିଅ ସୁଷମା ଘରୋଇ ହସ୍ପିଟାଲକୁ ଛାଡ଼ିବା ପାଇଁ ଯାଉଥିଲେ। ଗାନ୍ଧୀନଗରପଡ଼ା ମତ୍ସ୍ୟ କାର୍ଯ୍ୟାଳୟ ନିକଟରେ ରାସ୍ତାରେ ପଡ଼ିଥିବା କାଦୁଅରେ ସେମାନେ ଯାଉଥିବା ସ୍କୁଟି ସ୍ଲିପ୍ କରି ଯାଇଥିଲା। ଯାହା ଫଳରେ ଉଭୟ ତଳେ ପଡ଼ିଯାଇଥିଲେ। ଠିକ ସେତିକି ବେଳେ ପଛପଟରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଉଭୟ ମା’ ଝିଅଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ଟି ଫେରାର ହୋଇଯାଇଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ଟ୍ରକ ଜବତ କରିବା ସହ ଓ ଡ୍ରାଇଭରଙ୍କୁ ଗିରଫ କରିଥିଲା ଟାଉନ ପୋଲିସ। ଏହି ଦୁର୍ଘଟଣାକୁ ନେଇ ଟାଉନ କଂଗ୍ରେସ ପକ୍ଷରୁ ନଗର ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ପୌର ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷାଙ୍କୁ ଦାୟୀ କରାଯାଇ ମଙ୍ଗଳବାର ସନ୍ଧ୍ୟାରେ ଟାଉନ ଥାନାରେ ଏତଲା ଦିଆଯାଇଥିଲା।
ସେହିପରି ବୁଧବାର ବଲାଙ୍ଗୀର ବିଜୁ ଜନତା ଦଳ ପକ୍ଷରୁ ମା’ ଓ ଝିଅଙ୍କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଟାଉନ ଥାନା ଆଇଆଇସି ଅବନୀ ସାହୁଙ୍କୁ ସାକ୍ଷାତ କରି ଟ୍ରକ୍ ମାଲିକଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ବଲାଙ୍ଗୀର ସହରରେ ଚାଲୁ ଥିବା ବେଆଇନ ଟ୍ରକ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ଓ ମୃତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।