ଭଦ୍ରକ ଲୋକ ସଭା ଆସନରେ ପୁଣି ମହିଳା କାର୍ଡ ଖେଳିପାରେ ବିଜେଡି

ଭଦ୍ରକ,୧୬।୨: ଭଦ୍ରକ ଲୋକ ସଭା ନିର୍ବାଚନରେ ବିଜେଡି ପୁଣିଥରେ ମହିଳା କାର୍ଡ ଖେଳିପାରେ। ଏବେ ଏମ୍‌ପି ଥିବା ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିବା ପାଇଁ ବିଜେଡି ସୁଯୋଗ ଦେଇପାରେ ବୋଲି ଆଲୋଚନା ହେଉଛି। ଗତ ୨୦୧୯ ନିର୍ବାଚନରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀ ଦଳୀୟ ଟିକେଟରୁ ବଞ୍ଚିତ ହୋଇଥିଲେ। ଶେଷ ମୁହୂର୍ତ୍ତରେ ତାଙ୍କ ପୁତ୍ର ଅଭିମନ୍ୟୁ ସେଠୀ ଭାଜପାରେ ଯୋଗଦେଇ ଭଦ୍ରକ ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଏହି ଆସନରୁ ବିଜେଡି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିଲା। ମଞ୍ଜୁଲତା ୨୮ ହଜାର ୮୦୩ ଭୋଟ୍‌ରେ ଜିତିଥିଲେ। ତେବେ ଏଥର ବି ମଞ୍ଜୁଲତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।