ବିଜେଡି, ଭାଜପାକୁ ସଉତୁଣୀ କହିଲେ ବାହିନୀପତି

ନବରଙ୍ଗପୁର,୧୧।୭(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା କଂଗ୍ରେସ ପକ୍ଷରୁ ସୋମବାରଠାରୁ ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀଙ୍କ ପୀଠରୁ ଆଜ୍ଞାମାଳ ନେବାପରେ ସ୍ଥାନୀୟ ଶାସ୍ତ୍ରୀ ଭବନରେ ଏ ନେଇ ଏକ ବୈଠକ କରାଯାଇଛି। ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇଥିଲେ। ବିଜେଡି-ଭାଜପାକୁ ସଉତୁଣୀ ସମ୍ବୋଧନ କରି ସେମାନେ ଦିନରେ କଳି ରାତିରେ ମେଳି ହୁଅନ୍ତି ବୋଲି ତାରା କଟାକ୍ଷ କରିଥିଲେ। ଏହି ୨ଟି ଦଳ ପରଷ୍ପର ସର୍ବ ସମ୍ମୁଖରେ ଲୋକଦେଖାଣିଆ ଗଣ୍ଡଗୋଳ କରି ପରେ ସମସ୍ତ କାମକୁ ସମର୍ଥନ ଦିଅନ୍ତି ବୋଲି ବାହିନୀପତି କହିଛନ୍ତି।
କିଛି ଦିନ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ସରକାରୀ ଅଧିକାରୀଙ୍କ କାର୍ଯ୍ୟକଳାପ ଜିଲାକୁ ଅପଦସ୍ଥ କରିଥିବାବେଳେ ଏଠାରେ ଅଫିସର ଅରାଜକତା ଚଳାଇଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନ ଆରମ୍ଭ କରାଯାଇଥିବା ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି। ଭାରପ୍ରାପ୍ତ ଅତିରିକ୍ତ ଉପଜିଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ସିନିୟର କିରାଣିଙ୍କୁ ସିଡିପିଓ ଚେୟାରରୁ ଠେଲି ଦେବା, ବ୍ଲକ କାର୍ଯ୍ୟାଳୟ ବାହାରେ ଅଭିଯୋଗ ଜଣାଇବାକୁ ଆସି ଲୋକେ ହନ୍ତସନ୍ତ ହେଉଥିବାବେଳେ ଭିତରେ ବିଡିଓ ଜନ୍ମଦିନ ପାଳନ କରି କେକ୍‌ କାଟିବା ଭଳି ଅନେକ ଘଟଣା ଜିଲାକୁ ନିନ୍ଦିତ କରିଛି। ସରକାରୀ ଚାକିରିରେ ଜିଲାଭିତ୍ତିକ ନିଯୁକ୍ତି ଦାବି କରାଯାଇଛି। ଏ ସବୁକୁ ନେଇ ପ୍ରତ୍ୟେକ ବ୍ଲକରେ ଜିଲା କଂଗ୍ରେସ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି। ବୈଠକ ପୂର୍ବରୁ ନବରଙ୍ଗପୁରର କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି , ନବରଙ୍ଗପୁର ପୂର୍ବତନ ବିଧାୟକ ଭୁଜବଳ ମାଝି, ଜିଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ଜିଲା ପରିଷଦ ସଭ୍ୟା ଲିପିକା ମାଝି, ହାରାବତୀ ଗଣ୍ଡ, ଏଆଇସିସି ସଭ୍ୟା ମନୋଷା ତ୍ରିପାଠୀ, ସରପଞ୍ଚ ଦିବାକର ପୂଜାରୀ, ପି.ନାଗରତ୍ନମାଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।