ସୋମବାର ବିଜେଡି, ଭାଜପା, କଂଗ୍ରେସର ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୪ା୨(ସୁନିତ୍‌ ମିଶ୍ର)ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ୨୦୨୪ ସାଧାରଣ ନିର୍ବାଚନ ନେଇ କୌଣସି ସମୟରେ ତାରିଖ ଘୋଷଣା ହୋଇଯାଇପାରେ। ଆସନ୍ତା ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇପାରେ। ସରକାର ଏହି ଅଧିବେଶନରେ ଅନ୍ତରୀଣ ବଜେଟ ଗୃହରେ ଉପସ୍ଥାପିତ କରିବେ। ସମୟ ଦୃଷ୍ଟିରୁ ଦେଖିଲେ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା କାରଣରୁ ବିରୋଧୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶାସକ ଦଳକୁ ଟାର୍ଗେଟ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। କେଉଁସବୁ ପ୍ରସଙ୍ଗରେ ଶାସକ ଦଳକୁ ଘେରିଲେ ନିର୍ବାଚନରେ ତାହା ଫାଇଦା ଦେଇପାରିବ ସେନେଇ ବିରୋଧୀ ଶିବିରରେ ବେଶ୍‌ ଆଲୋଚନା ଚାଲିଛି।
ମିଳିଥିବା ସୂଚନା ମୁତାବକ, ଶାସକ ବିଜେଡି ପକ୍ଷରୁ ସୋମବାର ପୂର୍ବାହ୍ନ ୧୦ଟା ସମୟରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀଙ୍କୁ କିପରି ମୁକାବିଲା କରିହେବ ସେନେଇ ଦଳ ପକ୍ଷରୁ ଆଲୋଚନା ହେବ। ତେବେ କେନ୍ଦ୍ରୀୟ ଅବହେଳା ଏବଂ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗରେ ବିଜେଡି ଦୀର୍ଘଦିନ ହେଲା ଚୁପ୍‌ ରହିବା ଯୋଗୁ ଏହି କଥା ଆଉ ଧରିବ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌ ହେବାବେଳେ ବିଜେଡି ସମର୍ଥନ କରିଛି। ତେଣୁ କେଉଁ ପ୍ରସଙ୍ଗ ଉପରେ ଦଳ ବିଚାର କରି ବିରୋଧୀଙ୍କ ମୁକାବିଲା କରିବ ସେନେଇ ଚର୍ଚ୍ଚା ଜୋର୍‌ ଧରିଛି।
ଭାଜପା ବିଧାୟକ ଦଳ ବୈଠକ ସୋମବାର ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ହେବ। ଦଳର ଜଣେ ବିଧାୟକଙ୍କ କହିଛନ୍ତି, କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ପ୍ରଚାର କରିବା, ନବ ଦାସ ହତ୍ୟାକାଣ୍ଡରେ ଏଫ୍‌ବିଆଇ ତଦନ୍ତ କ’ଣ ହେଲା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ।
ମଙ୍ଗଳବାରଠାରୁ ରାହୁଲ ଗାନ୍ଧୀ ଅଢେଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେଣୁ ପ୍ରାୟ ସବୁ ବିଧାୟକ ଏବେ ରାଉରକେଲାରେ ଡେରା ପକାଇଛନ୍ତି। ତେଣୁ ସୋମବାର ଶେଷ ମୁହୂର୍ତ୍ତରେ କଂଗ୍ରେସ ବିଧାୟକ ଦଳ ବୈଠକ ହୋଇପାରେ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି।