‘ବିଜେଡି ଆଟ୍‌ ଶିମିଳିପାଳ ମୁଭମେଣ୍ଟ’ ଆରମ୍ଭ

ବାରିପଦା ଅଫିସ,୧୦ା୩- ଶିମିଳିପାଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ନେଇ ମୟୂରଭଞ୍ଜ ଜିଲା ବିଜେଡି ପକ୍ଷରୁ ‘ବିଜେଡି ଆଟ୍‌ ଶିମିଳିପାଳ ମୁଭମେଣ୍ଟ’ ଆରମ୍ଭ ହୋଇଛି। ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶିପୁର ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ଓ ଛାତ୍ର ବିଜେଡି କର୍ମୀଙ୍କୁ ନେଇ ପୃଥକ ଦଳ ଶିମିଳିପାଳରେ ପହଞ୍ଚିଛନ୍ତି। ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଧୀନ ବିଭିନ୍ନ ରେଞ୍ଜ୍‌ ଅଞ୍ଚଳକୁ ଯାଇ ଜିଲା-୨ ସଭାପତି କାଶୀନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ପୃଥକ ଦଳ ନିଆଁ ଲିଭା କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେହିପରି ମହିଳା ବିଜେଡିପକ୍ଷରୁ ବୀଣାପାଣି ସାହୁ, ଦ୍ରୌପଦୀ ସାହୁ, ପ୍ରଭାତି ପୃଷ୍ଟି, ସବିତା ବେହେରାଙ୍କ ନେତୃତ୍ୱରେ ଶିମିଳିପାଳ ସଂଲଗ୍ନ ଗ୍ରାମ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।