ବିଏମ୍‌ସି ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା

ବ୍ରହ୍ମପୁର ଅଫିସ,୭ା୩: ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ରବିବାର କର୍ପୋରେଟର ପାଇଁ ୫୬ ଓ ମେୟର ଲାଗି ଜଣେ ମହିଳା ନିତା କୁମାରୀ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି। କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ଦଳ ଓ ସ୍ବାଧୀନ ଅଛନ୍ତି। ଅପରପକ୍ଷରେ ବିଜେଡିର ୪୨ ଜଣଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ କେତେକ ନାମାଙ୍କନ ଦେଇଛନ୍ତି ଓ ଅନ୍ୟମାନେ ଶେଷ ଦିବସ ସୋମବାର ଦାଖଲ କରିବେ। ସେହିପରି ଭାଜପାରୁ ଅନେକ ଦାଖଲ କରିଛନ୍ତି। ତେବେ କଂଗ୍ରେସର ପୂର୍ଣ୍ଣାଙ୍ଗ କର୍ପୋରେଟର ତାଲିକା ରବିବାର ସୁଦ୍ଧା ଘୋଷଣା ହୋଇନାହିଁ। କଂଗ୍ରେସର ୧୪ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ମେୟର ପଦ ପାଇଁ ରବିବାର ସୁଦ୍ଧା ମାତ୍ର ୨ ମହିଳା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତନ୍ମଧ୍ୟରେ ଜଣେ ଆମ ଆଦମୀ ପାର୍ଟିର ସି. ପ୍ରିୟଙ୍କା ଅଛନ୍ତି। ସୋମବାର ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ମେୟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ସଦ୍ୟ ଭାଜପାରୁ ଇସ୍ତଫା ଦେଇଥିବା ଜଣେ ମହିଳା ମୋର୍ଚ୍ଚା ନେତ୍ରୀ କଂଗ୍ରେସର ମେୟର ପ୍ରାର୍ଥୀ ହେବାର କଂଗ୍ରେସ କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ବିଜେଡିର କର୍ପୋରେଟର ତାଲିକା ପ୍ରକାଶ ପରେ ଶତାଧିକ ଆଶାୟୀ ଅସନ୍ତୁଷ୍ଟ ହୋଇଯାଇଛନ୍ତି। ସେଥିରୁ ଅନେକ ବିଦ୍ରୋହି ସାଜି ବିଭିନ୍ନ ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କୁ କଣ୍ଟା ହୋଇପାରନ୍ତି। ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ଭାବେ ସୋମବାର ନାମାଙ୍କନ ଦାଖଲ କରିବାର ପ୍ରସ୍ତୁତି ଚଳାଇଛନ୍ତିି। ଏହା ଫଳରେ ପ୍ରଥମ କରି ବିଜେଡିରେ ସମସ୍ୟା ସୃଷ୍ଟି ହେବ ଓ ବିରୋଧୀଙ୍କୁ ସୁହାଇବାର ରାଜନୈତିକ ସମୀକ୍ଷକ ଚର୍ଚ୍ଚା କରୁଛନ୍ତି।