ହାଟଡିହୀ/ଛେନାପଦୀ, ୭।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଆନନ୍ଦପୁର ବିଧାନସଭା କ୍ଷେତ୍ରର ବିଭିନ୍ନ ଜନସମସ୍ୟା ଓ ଅସମ୍ପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ହାଟଡିହୀ ଅଞ୍ଚଳର ନେତା ତଥା ଜିଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ବିଶ୍ୱନାଥ ପ୍ରତାପ ଜେନା ଅବଗତ କରାଇଛନ୍ତି।
ଗତ ଶୁକ୍ରବାର କେନ୍ଦୁଝରଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେ ଅଞ୍ଚଳର ବିଭିନ୍ନ ଜରୁରୀ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ମରୈଗାଁଠାରୁ ବଳିପୁର ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଯାତାୟାତରେ ଲୋକମାନେ ଭୋଗୁଥିବା ନାନା ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାର ପୁନଃନିର୍ମାଣ କରିବାକୁ ଦାବି ଜଣାଇଥିଲେ। ସେହିପରି ପଞ୍ଚୁଗୋଛିଆ ଗ୍ରାମପଞ୍ଚାୟତର ତରଭାରୁ ଆଇତିପୁର ଗ୍ରାମପଞ୍ଚାୟତର ନୂଆଗାଁ ପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ରହିଥିବା ନଦୀବନ୍ଧ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ନିବେଦନ କରିଥିଲେ।
ଏଥିସହିତ ଚାରିନାଳିଆର ପୁନରୁଦ୍ଧାର, ବର୍ଷାଦିନରେ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଚାଷଜମି ଓ ଜନବସତିକୁ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଆନନ୍ଦପୁର ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ, ଗମନାଗମନ, ଜଳସେଚନ ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ସହ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଥିଲେ। ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେଲେ ସାଧାରଣ ଲୋକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହୋଇପାରିବ ବୋଲି ବିଶ୍ୱନାଥ ପ୍ରକାଶ କରିଛନ୍ତି।