ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିଶ୍ୱଜିତ

ପୁରୀ ଅଫିସ,୧୧।୮: ବୟସ ମାତ୍ର ୧୯। ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିପାରିଛନ୍ତି ପୁରୀ କୁମୁଟିପାଟଣାର ବିଶ୍ୱଜିତ ନାୟକ। ଆଇସ୍‌କ୍ରିମ୍‌ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ବିଶ୍ୱଜିତ ଏହି କୃତିତ୍ୱ ହାସଲ କରିଛନ୍ତି। ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ପକ୍ଷରୁ ତାଙ୍କ ପାଖକୁ ସାର୍ଟିିଫିକେଟ, ଗୋଲ୍‌ଡ ମେଡାଲ, ପରିଚୟପତ୍ର, ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ବହି ଏବଂ ପେନ୍‌ ଆସିଛି। ଆଇସ୍‌କ୍ରିମ୍‌ କାଠିରେ ମହାପ୍ରଭୁଙ୍କ ରଥ ତିଆରି କରିଥିବାରୁ ସେ ଏହି ରେକର୍ଡର ଅଧିକାରୀ ହୋଇଥିବା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପକ୍ଷରୁ ତାଙ୍କୁ ଅବଗତ କରାଯାଇଛି।
ଡିପ୍ଲୋମା ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ଗତ ଜୁନ୍‌ ମାସରେ ୨୫୭୫ଟି ଆଇସ୍‌କ୍ରିମ କାଠିରେ ୨୭ ଇଞ୍ଚ ଉଚ୍ଚତା ଓ ୨୨ ଇଞ୍ଚ ଚଉଡ଼ା ବିଶିଷ୍ଟ ଏହି କ୍ଷୁଦ୍ର ରଥ ତିଆରି କରିଥିଲେ। ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୧୦ ଦିନ ଲାଗିଥିଲା। ଏହାପରେ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସକୁ ଏ ନେଇ ଅବଗତ କରାଇବା ସହ ଆବଶ୍ୟକ ତଥ୍ୟ ପ୍ରମାଣ ଦେଇଥିଲେ। ଏବେ ସେ ଏହି ରେକଡର୍‌ସରେ ସ୍ଥାନ ପାଇ ବେଶ୍‌ ଖୁସି ବୋଲି ବିଶ୍ୱଜିତ କହିଛନ୍ତି। ପୂର୍ବରୁ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ଆଇସ୍‌କ୍ରିମ୍‌ କାଠିରେ ସିଂହାସନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବସାଇଥିଲେ। ଆଗକୁ ସେ ଆଉ ଏକ କୃତିତ୍‌ବର ଅଧିକାରୀ ହେବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ବିଶ୍ୱଜିତ ପ୍ରକାଶ କରିଛନ୍ତି।