ବିଷୁବ: ବିଶ୍ବାସ ଓ ବିଜ୍ଞାନ

ପ୍ରକୃତି ଓ ପରିବେଶ ସହିତ ଜୀବଜଗତ ଓତପ୍ରୋତ ଭାବେ ଜଡ଼ିତ। କେବଳ ଅନୁକୂଳ ପରିବେଶ ଯୋଗୁ ପୃଥିବୀରେ ସମ୍ଭବ ହୋଇଛି ଜୀବଜଗତର ସୃଷ୍ଟି ଓ ବିକାଶ। ଏହି କଥାଟି ଆମ ଅପେକ୍ଷା ବେଶି ବୁଝିଥିଲେ ଆମ ପୂର୍ବଜମାନେ। ପ୍ରକୃତିର ଚାରୁ ସୁଷମା ତାଙ୍କ ମନରେ ଯେତିକି ଆନନ୍ଦ ଆଣି ଦେଇଥିଲା, ସେତିକି ଭୟ ସଞ୍ଚାର କରିଥିଲା ତା’ର ରୌଦ୍ର ରୂପ। ପ୍ରକୃତିର ବିଧ୍ବସ୍ତକାରୀ ରୂପ ଦେଖି ସେମାନେ ଭୟ ପାଇ ଯାଇଥିଲେ ସତ, କିନ୍ତୁ ହାରିଯିବା ପରିବର୍ତ୍ତେ ଖୋଜିଥିଲେ ସେଥିରୁ ନିସ୍ତାର ପାଇବାର ଉପାୟ। ଦୀର୍ଘ ଅନୁଭୂତି ଓ ଗଭୀର ଅନୁଶୀଳନ ବଳରେ ଶିଖିଥିଲେ ପ୍ରକୃତିକୁ ଜୀବନ ଉପଯୋଗୀ କରିବାର କଳା। ଏହି କଳା ହିଁ ବିଜ୍ଞାନ। ଏହି ଦୃଷ୍ଟିରୁ ଆମ ପୂର୍ବଜମାନେ ଥିଲେ ପୋଖତ ବିଜ୍ଞାନୀ । ସେମାନେ ଜାଣିଥିଲେ ପ୍ରକୃତି ଓ ବିଜ୍ଞାନ ପରସ୍ପର ବିରୋଧୀ ନୁହନ୍ତି, ବରଂ ପରିପୂରକ। ପ୍ରକୃତି ବିନା ବିଜ୍ଞାନର କଳ୍ପନା ଅସମ୍ଭବ ଏବଂ ପ୍ରକୃତିର ସୁସ୍ଥତା ଓ ପରିପୁଷ୍ଟତା ଉପରେ ନିର୍ଭର କରେ ବିଜ୍ଞାନର ସଫଳତା। ତେଣୁ ବୈଜ୍ଞାନିକ ଆବିଷ୍କାରର ପ୍ରୟୋଗ ଯଦି ପ୍ରକୃତି ବିରୋଧରେ ଯାଏ, ତେବେ ତାହା ମଣିଷ ଜାତି ତଥା ସମଗ୍ର ଜୀବ ଜଗତ ପ୍ରତି ହାନିକାରକ। ଏହି ବିଚାରବୋଧ ନେଇ ସେମାନଙ୍କ ଭିତରେ ସ୍ବତଃ ଜାଗ୍ରତ ହୋଇଥିଲା ପ୍ରକୃତିର ଅଲୌକିକ ଶକ୍ତି ପ୍ରତି ଶ୍ରଦ୍ଧା, ସମ୍ମାନ ଜଣେଇବାର ପ୍ରବଣତା । ବିମୁଗ୍ଧ କୃତଜ୍ଞତା ଭାବରୁ ଆସିଥିଲା ଭକ୍ତି ଓ ବିଶ୍ବାସ।
ଆମ ପ୍ରାଚୀନ ବିଦ୍ବାନ୍‌ମାନେ ଧର୍ମନିଷ୍ଠ ଓ ବିନମ୍ର ଆସ୍ତିକ ଥିଲେ ଏବଂ ସେମାନେ ଜାଣିଥିଲେ ବିଜ୍ଞାନ ଆମକୁ ଯେତିକି ସମୃଦ୍ଧ କରେ, ସେତିକି ଶୃଙ୍ଖଳିତ କରେ ବିଶ୍ବାସ। ବିଜ୍ଞାନର ସଫଳ ପ୍ରୟୋଗ ନିମନ୍ତେ ବିଶ୍ବାସର ଦୃଢ଼ତା ଆବଶ୍ୟକ, ଯା’ର ଆଧାର ଭୂମି ହେଉଛି ଧର୍ମାଚାର ଓ ଆଧ୍ୟାତ୍ମିକତା। ତେଣୁ ପୃଥିବୀର ପାରିବେଶିକ ସନ୍ତୁଳନ ନିମନ୍ତେ ସମସ୍ତ ପରିଯୋଜନା ଓ ପରିକଳ୍ପନାକୁ ସେମାନେ ପ୍ରୟୋଗ କରିଥିଲେ ଆଧ୍ୟାତ୍ମିକତାର ଗଣ୍ଡି ଭିତରେ। ପରିବେଶ ପ୍ରତି ପ୍ରତିବଦ୍ଧତା ବୃଦ୍ଧି କରିବାର ଦୂରଦୃଷ୍ଟି ନେଇ ବିଭିନ୍ନ ନୀତି ନିୟମର ଅବତାରଣା କରିଥିଲେ ଭିନ୍ନ ଭିନ୍ନ ପୁରାଣ ଓ ଧର୍ମ ଶାସ୍ତ୍ରରେ। ପରିବେଶ ଉପଯୋଗୀ ଲୋକାଚାରର ପରିକଳ୍ପନା ଓ ପ୍ରୟୋଗ କରିଥିଲେ ଉତ୍ସବ ଅନୁଷ୍ଠାନ ଜରିଆରେ, ଯା’ର ଏକ ଜାଜ୍ୱଲ୍ୟମାନ ଦୃଷ୍ଟାନ୍ତ ହେଉଛି ବିଷୁବ ସଂକ୍ରାନ୍ତି।
ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛନ୍ତି ନବଗ୍ରହଙ୍କ ସ୍ବାମୀ। ତାଙ୍କର ନିୟମିତ ଗତି ମଧ୍ୟରେ ରାଶି ପରିବର୍ତ୍ତନ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସଂକ୍ରମଣ ବା ସଞ୍ଚାର ତିଥିର ନାମ ସଂକ୍ରାନ୍ତି। ଏହି ସଞ୍ଚାର ଧାରାରେ ସୂର୍ଯ୍ୟଙ୍କର ମେଷ ରାଶିରେ ପ୍ରବେଶ ତିଥିକୁ କୁହାଯାଏ ମହାବିଷୁବ ସଂକ୍ରାନ୍ତି। ଓଡ଼ିଆ ପଞ୍ଜିକା ଅନୁଯାୟୀ ଏହି ପୁଣ୍ୟ ମୁହୂର୍ତ୍ତରୁ ସୂର୍ଯ୍ୟଙ୍କର ନୂତନ ସମ୍ବତ୍ସର ଯାତ୍ରା ଆରମ୍ଭ ହୁଏ ଏବଂ ଏହି ପବିତ୍ର ତିଥି ହିଁ ଓଡ଼ିଆ ଜନସମୁଦାୟ ପାଇଁ ନୂଆବର୍ଷ ଭାବରେ ପରିଚିତ। ବିଷୁବ ବୃତ୍ତର ପ୍ରଥମ ବିନ୍ଦୁରେ ମାର୍ତ୍ତଣ୍ଡଙ୍କ ସ୍ଥିତି ଯୋଗୁ ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ପ୍ରଖର ହୁଏ ଉଷ୍ଣ ବାୟୁ ପ୍ରବାହ। ଏଥିରୁ ନିସ୍ତାର ପାଇବାର ଉପାୟ ହେଉଛି ପରିବେଶ ସୁରକ୍ଷା।
ପରିବେଶ ସୁରକ୍ଷା କଥା କହିଲେ ଆଗେ ଆଖି ଆଗକୁ ଆସେ ବୃକ୍ଷ। ପ୍ରାଣ ସଞ୍ଚାର ପାଇଁ ପ୍ରଶ୍ବାସରେ ବାୟୁଠାରୁ ଆରମ୍ଭକରି ଖାଦ୍ୟ, ବସ୍ତ୍ର, ବାସ ଓ ଔଷଧ ଆଦି ପ୍ରତ୍ୟେକ କ୍ଷେତ୍ରରେ ବୃକ୍ଷର ଅବଦାନ ଅବର୍ଣ୍ଣନୀୟ। ମାଟିରୁ ବାହାରି ଜଳ ଓ ତାପ ପାଇଁ ଆକାଶ ଆଡକୁ ବିସ୍ତାରିତ ବୃକ୍ଷ ନିଜ ମଥାରେ ପ୍ରଚଣ୍ଡ ରୌଦ୍ର ତାପ ସହି ଆଶ୍ରିତ ପଥିକକୁ ପ୍ରଦାନ କରେ ଶୀତଳ ଛାୟା। ନିଜ ପର ବିଚାର ନ କରି ସେ ଦେଇଚାଲେ ଫଳ,ପୁଷ୍ପ ଓ ପତ୍ର ଇତ୍ୟାଦି। ଏପରିକି ବୃକ୍ଷର ମୂଳ କର୍ତ୍ତନ କରୁଥିବା କାଠୁରିଆକୁ ବି ଛାୟା ପ୍ରଦାନ କରିବାରେ ତା’ର ନ ଥାଏ ସାମାନ୍ୟତମ କାର୍ପଣ୍ୟ। ଅର୍ଥାତ ବୃକ୍ଷ ହେଉଛି ଯୋଗ ଓ ସହିଷ୍ଣୁତାର ପ୍ରତୀକ। ଅନେକ ଉପକାରର ବଳିଷ୍ଠ ଉତ୍ସ। ତା’ର ମହନୀୟ ଗୁଣ ଭିତରୁ ବିଶ୍ବ ପ୍ରକୃତିର ମୌଳିକ ପ୍ରତ୍ୟେୟକୁ ଉପଲବ୍ଧି କରିଥିଲେ ପ୍ରାଚୀନ ଭାରତର ମୁନିଋଷିମାନେ। ବୃକ୍ଷ ଦେବତାଙ୍କ ପ୍ରତି ପୂଜା ଅର୍ଘ୍ୟ ଢାଳିବାର ପ୍ରବଣତା ସେମାନଙ୍କ ଭିତରେ ଜାଗି ଉଠିଥିଲା । ସେମାନଙ୍କ ଆଧ୍ୟାତ୍ମିକ ଅନୁଭବ ଓ ସୈଦ୍ଧାନ୍ତିକ ବିଚାର ଜନ ସମୁଦାୟକୁ ଏଭଳି ପ୍ରଭାବିତ କରିଥିଲା ଯେ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଯୋଡ଼ି ହୋଇଯାଇଥିଲା ବର,ଅଶ୍ବତ୍ଥ, ଅଶୋକ, ଲିମ୍ବ, ବେଲ ଓ ତୁଳସୀ ଆଦି ଅନେକ ପ୍ରକାର ବୃକ୍ଷଲତା। ବେଦରେ ଅଶ୍ବତ୍ଥ ଗଛକୁ କୁହାଯାଇଛି ସର୍ବଦେବଙ୍କ ନିବାସସ୍ଥଳ ବା ଦେବସଦନ। ଶ୍ରୀମଦ୍‌ ଭାଗବତ ପୁରାଣ ଅନୁସାରେ ଆଦିମୂଳ ପରମାତ୍ମା ହେଉଛନ୍ତି ଆଦିବୃକ୍ଷ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ବୃକ୍ଷ ରୂପରେ ମୁଁ ଅଶ୍ବତ୍ଥ ଅଟେ। ଭଗବାନ ବୁଦ୍ଧ ଅଶ୍ବତ୍ଥ ଗଛ ମୂଳେ ତପସ୍ୟା କରି ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିବାରୁ ଏହା ବୋଧିବୃକ୍ଷ ଭାବରେ ପରିଚିତ। ଶାସ୍ତ୍ର ଅନୁସାରେ ବଟବୃକ୍ଷ ହିଁ ସାକ୍ଷାତ ଶିବଙ୍କ ସ୍ବରୂପ। ପଞ୍ଚସଖା ଯୁଗର ସାଧକ ଅଚ୍ୟୁତାନନ୍ଦ ଦାସଙ୍କ ମତରେ ବଟବୃକ୍ଷ ମୂଳେ ବସି ରାମନାମ ଜପ କଲେ ଦୁଃଖ ଲାଘବ ପାଇଁ ପ୍ରକଟ ହୁଅନ୍ତି ସ୍ବୟଂ ପ୍ରଭୁ ଶ୍ରୀରାମ। ସନ୍ଥ ତୁଳସୀ ଦାସ ଭଗବାନ ଶ୍ରୀରାମଙ୍କୁ ସଂସାର ବୃକ୍ଷ ବୋଲି ସମ୍ବୋଧନ କରି ଲେଖିଛନ୍ତି- ‘ସଂସାର ବୃକ୍ଷଂ ନମାମହେ।’ ଶ୍ରୀଚୈତନ୍ୟ ବୃକ୍ଷର ସହିଷ୍ଣୁତା ଗୁଣରେ ଅଭିଭୂତ ହୋଇ ବୈଷ୍ଣବମାନଙ୍କୁ ବୃକ୍ଷ ପରି ସହିଷ୍ଣୁ ହେବା ପାଇଁ ଆହ୍ବାନ ଦେଇ କହିଛନ୍ତି-‘ତରୋରିବ ସହିଷ୍ଣୁନା’। ବୃକ୍ଷ ରୋପଣ ହିଁ ଧର୍ମ ଅର୍ଜନର ଏକ ଉତ୍ତମ ମାର୍ଗ।
ମତ୍ସ୍ୟ ପୁରାଣରେ କୁହାଯାଇଛି ଗୋଟିଏ ପୁଷ୍କରିଣୀ ଖନନ ଦଶଟି କୂପ ଖନନର ପୁଣ୍ୟ ସହିତ ସମାନ। ଗୋଟିଏ ଜଳଭଣ୍ଡାର ଦଶଟି ପୁଷ୍କରିଣୀ ସହିତ ସମତୁଲ। ଗୋଟିଏ ପୁତ୍ର ଦଶଟି ଜଳଭଣ୍ଡାର ଓ ଗୋଟିଏ ଗଛ ଦଶଟି ପୁତ୍ର ସହ ସମାନ। ତେଣୁ ଧର୍ମ ଅର୍ଜନ ପାଇଁ ଲୋକେ ଆଗ୍ରହରେ ବୃକ୍ଷ ରୋପଣ କରୁଥିଲେ ଏବଂ ବୃକ୍ଷ ଛେଦନ କଥା ଭାବିଲେ ମନରେ ଜାଗିଉଠୁଥିଲା ଏକ ଜୀବନ୍ତ ସତ୍ତାକୁ ହତ୍ୟା କରିବାର ଅପରାଧବୋଧ। ରାଜା ଓ ଜମିଦାରମାନେ ବୃକ୍ଷ ରୋପଣକୁ ଜନମଙ୍ଗଳ କାର୍ଯ୍ୟ ଭାବି ପର୍ଯ୍ୟାପ୍ତ ପରିମାଣର ବୃକ୍ଷ ରୋପଣ କରୁଥିଲେ ରାସ୍ତାକଡ଼ ଓ ଖୋଲା ପଡ଼ିଆରେ। ଲୋକେ ଗାଁ ମୁଣ୍ଡରେ ବର ଓସ୍ତ ଗଛ ଲଗାଇ ପୂଜା କରୁଥିଲେ ଏବଂ ରୌଦ୍ରଦଗ୍ଧ ବୈଶାଖରେ ତା’ ମୂଳରେ ପାଣି ଠାଳୁଥିଲେ, ଯା’ର ସଙ୍କେତ ବହନ କରେ ବିଷୁବ ସଂକ୍ରାନ୍ତି। ବୃକ୍ଷ ପ୍ରତି ଲୋକଙ୍କର ଏହି ଆତ୍ମୀୟତା ଯୋଗୁ ଏକଦା ସବୁଜିମାରେ ପୂରି ଉଠିଥିଲା ପରିବେଶ।
ଆୟୁର୍ବେଦକୁ କୁହାଯାଏ ନୀରୋଗର ମନ୍ତ୍ର। ତୁଳସୀ ପତ୍ର ସେହି ଆୟୁର୍ବେଦ ଔଷଧର ଏକ ମୁଖ୍ୟ ଉପାଦାନ। ତୁଳସୀ ଏକ ସର୍ବରୋଗ ବିନାଶକାରୀ ଗୁଳ୍ମ ଏବଂ ତା’ର ଉପକାର ବହୁବିଧ। ତେବେ ତା’ର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱଠାରୁ ଔଷଧୀୟ ପ୍ରୟୋଗ ବେଶି। ଏହା ବୈଶାଖର ପ୍ରଚଣ୍ଡ ରୌଦ୍ରତାପରେ ଶୀଘ୍ରଶୀଘ୍ର ଶୁଖିଯାଏ ଏବଂ ସୁରକ୍ଷା ପାଇଁ ଆବଶ୍ୟକ ନିୟମିତ ଜଳ ସିଞ୍ଚନ। ଏହା ହିଁ ଥିଲା ଆମ ପୂର୍ବଜଙ୍କ ପାଇଁ ଚିନ୍ତାର ବିଷୟ। କାରଣ ଜଳ ସଂରକ୍ଷଣ ଥିଲା ସେମାନଙ୍କ ପାଇଁ ଉପାସନା। ଗୋଟିଏ ପଟରେ ତୁଳସୀର ସୁରକ୍ଷା ଓ ଅନ୍ୟ ପଟରେ ଜଳର ସମୁଚିତ ବ୍ୟବହାର- ଏହି ଉଭୟ କଥାକୁ ଦୃଷ୍ଟିରେ ରଖି ସେମାନେ ତିଆରି କରିଥିଲେ ବିଷୁବ ସଂକ୍ରାନ୍ତିର ବିଧିବିଧାନ। ଆବିଷ୍କାର କରିଥିଲେ ବୁନ୍ଦା ଜଳ କ୍ଷରଣ ବା ଅଣୁ ଜଳସେଚନ ପ୍ରଣାଳୀ। ଏହାଦ୍ବାରା ତୁଳସୀ ଗଛରେ ଜଳ ସିଞ୍ଚନ ହେବ, କିନ୍ତୁ ସିଞ୍ଚନ ପ୍ରକ୍ରିୟାରେ ନଷ୍ଟ ହେବନି ବୁନ୍ଦାଏ ବି ଜଳ। ଆଜି ପ୍ରତ୍ୟେକ ଓଡ଼ିଆ ଘର ଆଗରେ ବୃନ୍ଦାବତୀ ଉପରେ ଝୁଲୁଥିବା ବହୁଛିଦ୍ର ଯୁକ୍ତ ଜଳଘଟ ବା ବସୁନ୍ଧରା ଘଡ଼ିରୁ ଯେଉଁ ବୁନ୍ଦା ବୁନ୍ଦା ଜଳ ଝରି ପଡୁଛି, ତାହା ହିଁ ସେମାନଙ୍କ ଜ୍ଞାନଗର୍ଭା ଚିନ୍ତନର ଅମୃତମୟ ଫଳ। ‘ଜୀବେଦୟା’ ଭାବ ଭାରତୀୟ ସଂସ୍କୃତିର ବିଶେଷତ୍ୱ। ଏହି ମାନବୀୟ ଭାବଧାରାକୁ ଜାଗ୍ରତ କରେ ବିଷୁବ ସଂକ୍ରାନ୍ତି।

  • ଡ. ପ୍ରଫୁଲ୍ଲ କୁମାର ସାହୁ
    ମୋ- ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri