ଅସରଳାରେ ବଢୁଛି ପକ୍ଷୀ ଶିକାର

ଖୋର୍ଦ୍ଧା ଅଫିସ,୧୯।୮: ବୋଲଗଡ ବ୍ଲକ ଅଧୀନ ଅସରଳା ଗ୍ରାମରେ ଅବାଧରେ ଚାଲିଛି ପକ୍ଷୀ ଶିକାର। ଶିକାରୀମାନେ ସତର୍କତାର ସହ ବିଭିନ୍ନ ଉପାୟରେ ଗଛରେ ଥିବା ପକ୍ଷୀଙ୍କୁ ବନ୍ଧୁକ ମୁନରେ ଶିକାର କରିଚାଲିଛନ୍ତି। ବଡ଼ ବଡ଼ ମାଛ ରଙ୍କା, ବଗ, ବାଦୁଡ଼ି ପ୍ରତିଦିନ ପ୍ରାଣ ହରାଉଛନ୍ତି। ପକ୍ଷୀମାନେ ପୋଖରୀ ପାଖରେ ଥିବା ଗଛରେ ଆଶ୍ରୟ ନେବା ବେଳେ ଶିକାରୀର ଶିକାର ହେଉଛନ୍ତି। ଖାଦ୍ୟ ଅନ୍ବେଷଣରେ ପକ୍ଷୀ ଗୁଡିକ ବାହାରକୁ ବାହାରୁଥିବା ବେଳେ କିଛି ଜାଲରେ ଛନ୍ଦି ହୋଇ ପଡୁଥିବା ବେଳେ ଆଉ କିଛି ଶିକାରୀଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଉଛନ୍ତି। ଦିନ ଦ୍ୱିପ୍ରହରରେ ପକ୍ଷୀ ଶିକାର ବଢ଼ି ଚାଲିଥିବା ବେଳେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।