ଆସନ୍ତା ୪ରୁ ଚିଲିକାରେ ପକ୍ଷୀ ଗଣନା

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ୪ ତାରିଖରୁ ଚିଲିକାରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥିଲାଗି ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯିବ । ଗଣନା କାର୍ଯ୍ୟରେ ମୋଟ ୨୧ଟି ଟିମ୍‌ ନିୟୋଜିତ ହେବେ। ଟାଙ୍ଗୀ ଜୋନ୍‌ରେ ୮ଟି ଟିମ୍‌, ବାଲୁଗାଁରେ ୫, ସାତପଡ଼ାରେ ୩, ରମ୍ଭା ଓ କୃଷ୍ଣପ୍ରସାଦ ଜୋନ୍‌ରେ ଅବଶିଷ୍ଟ ଟିମ ନିୟୋଜିତ ରହିବେ ।

ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ରହିବେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିପିଏସ୍‌ ଓ ବାଇନୋକୁଲାର ବ୍ୟବହାର କରାଯିବ । ସକାଳ ୬ଟାରୁ ଏହାଆରମ୍ଭ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।