ଜୈବବିବିଧତା ସୁରକ୍ଷା ଓ କପ୍‌-୧୬

ପୃଥିବୀରେ ଜୀବନର ଉତ୍ପତ୍ତି ଏବଂ ଅଭ୍ୟୁଦୟ ଯେତିକି ଆଶ୍ଚର୍ଯ୍ୟଜନକ ବୋଧହୁଏ, ବହୁବିଧ ବୈଶିଷ୍ଟ୍ୟ ବହନକାରୀ ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ ଜାତିଙ୍କର ବିଭିନ୍ନ ପରିସଂସ୍ଥାରେ ପରିସ୍ଫୁଟନ ଓ ଜୀବନଯାପନ ସେତିକି ବିସ୍ମୟକର ଅନୁଭୂତ ହୁଏ I ମାନବ ସମେତ ପୃଥିବୀରେ ଆବିର୍ଭୂତ ଜୀବନର ସମସ୍ତ ପ୍ରକାର ରୂପକୁ ଅନ୍ତର୍ଭୁକ୍ତ କରୁଥିବା ପ୍ରସଙ୍ଗଟି ହେଉଛି ଜୈବବିବିଧତା, ଯାହାର ସମୃଦ୍ଧତା ବ୍ୟତିରେକ ଆମ ଗ୍ରହରେ ଏକ ପ୍ରାଚୁର୍ଯ୍ୟ ପରିପୂର୍ଣ୍ଣ, ସୁସ୍ଥ ଜୀବଜଗତର ଗଠନ ସମ୍ଭବପର ନୁହେଁ। ଆବଶ୍ୟକ ଖାଦ୍ୟ, ଔଷଧ, ଶକ୍ତି, ନିର୍ମଳ ବାୟୁ ଓ ଜଳ, ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ତଥା ମନୋରଞ୍ଜନ ଏବଂ ସାଂସ୍କୃତିକ ପ୍ରେରଣା ନିମନ୍ତେ ଆମେ ଜୈବବିବିଧତା ଉପରେ ନିର୍ଭରଶୀଳ। ଏହା ମଧ୍ୟ ପୃଥିବୀରେ ପରିଦୃଷ୍ଟ ସମସ୍ତ ଜୀବନ ପ୍ରଣାଳୀକୁ ସମର୍ଥନକରେ I ମାନବ କଲ୍ୟାଣ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗ୍ରହର ସୁସ୍ଥତା ନିମନ୍ତେ ଏହା ହେଉଛି ଏକ ମୌଳିକ ଆବଶ୍ୟକତା, ଯାହା ପ୍ରାକୃତିକ ସନ୍ତୁଳନ ରକ୍ଷା ଏବଂ ଧରିତ୍ରୀ ମାତା ସହ ସୁସମ୍ପର୍କରେ ଉତ୍ତମ ଜୀବନ ନିର୍ବାହ ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ । ଜୈବ ବିବିଧତାର ଏପରି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ହୃଦୟଙ୍ଗମକରି ଏହାର ସୁରକ୍ଷା ନିମନ୍ତେ ଏକ ବିଶ୍ୱସ୍ତରୀୟ ଚୁକ୍ତି ବ୍ରାଜିଲର ରିଓ ଡି’ଜେନିରୋରେ ୫ ଜୁନ୍‌ ୧୯୯୨ରେ ଅନୁଷ୍ଠିତ ଧରିତ୍ରୀ ସମ୍ମିଳନୀ ଅବସରରେ ସ୍ବାକ୍ଷର ନିମନ୍ତେ ଉନ୍ମୁକ୍ତ ହୋଇଥିଲା I ୧୯୯୩ର ଶେଷଭାଗରୁ କାର୍ଯ୍ୟକାରୀ ହୋଇଥିବା ଏହି ଜୈବ ବିବିଧତା ଚୁକ୍ତି (ସିବିଡି)କୁ ଏ ପର୍ଯ୍ୟନ୍ତ ବିଶ୍ୱର ୧୯୬ ରାଷ୍ଟ୍ର ଅନୁମୋଦିତ କରିଛନ୍ତି। ଏହି ଚୁକ୍ତି ହେଉଛି ‘ଜୈବ ବିବିଧତାର ସଂରକ୍ଷଣ, ଏହାର ଉପାଦାନଗୁଡ଼ିକର ସହନୀୟ ବ୍ୟବହାର ଏବଂ ଜିନୀୟ ଉତ୍ସଗୁଡିକର ଉପଯୋଗରୁ ଉତ୍ପନ୍ନ ଲାଭ ସବୁର ନ୍ୟାୟଯୁକ୍ତ ଏବଂ ସମବଣ୍ଟନ ନିମନ୍ତେ ଏକ ଅନ୍ତର୍ଜାତୀୟ ଆଇନଗତ ଉପକରଣ’।
ସମ୍ପ୍ରତି ପ୍ରତି ୨ବର୍ଷରେ ଜାତିସଂଘ ଆନୁକୂଲ୍ୟରେ ବିଶ୍ୱସ୍ତରରେ ଅନୁଷ୍ଠିତ ହେଉଥିବା ସିବିଡି ସଦସ୍ୟମାନଙ୍କ ସମ୍ମିଳନୀର ଷୋଡ଼ଶ ଅଧିବେଶନ (କପ୍‌-୧୬) କଲମ୍ବିଆର କାଲି ସହରରେ ସଦ୍ୟ ସମାପ୍ତ ହୋଇଛି, ଯାହାକି ବୈଶ୍ୱିକ ଜୈବବିବିଧତା ସମ୍ପର୍କିତ ପ୍ରଶାସନ ନିମନ୍ତେ ଏକ ପ୍ରମୁଖ ମୁହୂର୍ତ୍ତ ଥିଲା। ସମ୍ମିଳନୀର କାର୍ଯ୍ୟସୂଚ଼ୀରେ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ଥିଲା ଜୈବବିବିଧତା ଓ ଜଳବାୟୁ ପରିବର୍ତ୍ତନ, ସମ୍ବଳର ସହନୀୟ ବ୍ୟବହାର, ସମବଣ୍ଟନ ଓ ଅନ୍ତର୍ଭୁକ୍ତୀକରଣ, ପାଣ୍ଠି ଓ ସମ୍ବଳ ଏବଂ ୨୦୨୦ ପରବର୍ତ୍ତୀ ବୈଶ୍ୱିକ ଜୈବବିବିଧତା ଢାଞ୍ଚା (ଜିବିଏଫ୍‌)। ଏହି ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ୨୦୨୨ରେ କାନାଡାର ମଣ୍ଟ୍ରିଲରେ ଅନୁଷ୍ଠିତ କପ୍‌-୧୫ ଅବସରରେ ଗୃହୀତ ‘କୁନ୍‌ମିଙ୍ଗ-ମଣ୍ଟ୍ରିଲରେ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚା’ର କାର୍ଯ୍ୟକାରିତା ସ୍ଥିତିକୁ ସମୀକ୍ଷା କରିଛନ୍ତି I ଏହି ଢାଞ୍ଚା ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଜାତୀୟ ଜୈବ ବିବିଧତା ରଣନୀତି ଏବଂ କାର୍ଯ୍ୟଯୋଜନା ସହ ସମ୍ବଳ ସଂଗ୍ରହ ବିଷୟକୁ ମଧ୍ୟ ବିଶ୍ଳେଷଣ କରିଛନ୍ତି। ଏହି ପ୍ରମୁଖ ସମାବେଶରେ ୨୦୩୦ ନିମନ୍ତେ ଉଚ୍ଚାଭିଳାଷୀ ଲକ୍ଷ୍ୟ ରହିଥିଲା ବିଶ୍ୱ ଜୈବବିବିଧତା ସମ୍ମୁଖୀନ ହେଉଥିବା ଜରୁରୀ ଆହ୍ବାନ ସବୁକୁ ସମାଧାନ କରିବା, ଜୀବଜାତି ତଥା ପରିସଂସ୍ଥାର ଅବନତିକୁ ରୋକିବା ଉଦ୍ଦେଶ୍ୟରେ ପ୍ରଭାବଶାଳୀ ରଣନୀତି କାର୍ଯ୍ୟକାରୀ କରିବା, ଅବକ୍ଷୟିତ ବାସସ୍ଥଳୀର ପୁନରୁଦ୍ଧାର କରିବା, ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା, ଜଳବାୟୁ ସ୍ଥିରତା ଓ ମାନବ କଲ୍ୟାଣକୁ ଦୃଢ଼ୀଭୂତ କରିବା ଏବଂ ଶକ୍ତିଶାଳୀ ସହଭାଗିତାର ରୂପାୟନ କରିବା।
ପ୍ରତୀକ୍ଷା ରହିଥିଲା ଯେ କାଲିରେ ହେବାକୁ ଥିବା ଆଲୋଚନା ଏବଂ ନିଷ୍ପତ୍ତି, ଉଭୟ ପରିବେଶଗତ ଅଖଣ୍ଡତା ଏବଂ ସାମାଜିକ-ଅର୍ଥନୈତିକ ଦିଗକୁ ସମାଧାନକରି ଆଗାମୀ ଦଶନ୍ଧି ମଧ୍ୟରେ ରାଷ୍ଟ୍ରଗୁଡ଼ିକ ଏହି ଲକ୍ଷ୍ୟ ହାସଲ ଦିଗରେ କିପରି କାର୍ଯ୍ୟଧାରା ଜାରି ରଖିବେ, ତାହାକୁ ପ୍ରଭାବିତ କରିବ। ଏହାସହ କୃଷି, ଜଙ୍ଗଲ, ମତ୍ସ୍ୟ ସମ୍ପଦ ଏବଂ ସହରାଞ୍ଚଳ ବିକାଶ ସମେତ ସମାଜର ସମସ୍ତ କ୍ଷେତ୍ରରେ ଜୈବ ବିବିଧତା ସୁରକ୍ଷା ପ୍ରସଙ୍ଗକୁ ଯୋଡ଼ିବା ଉପରେ ଗୁରୁତ୍ୱାରୋପ କରିବା ମଧ୍ୟ ଏକାନ୍ତ ଅପରିହାର୍ଯ୍ୟ ଥିଲା।
୨୦୨୦ ପରବର୍ତ୍ତୀ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚାର ମୂଳଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ଗ୍ରହର ୩୦% ସ୍ଥଳଭାଗ ଏବଂ ସାମୁଦ୍ରିକ ଅଞ୍ଚଳକୁ ସୁରକ୍ଷା ଦେବା, ଯାହାକି ଏସବୁ କ୍ଷେତ୍ରର ଉପଯୁକ୍ତ ସୁରକ୍ଷା ଏବଂ ଯଥାର୍ଥ ପରିଚାଳନା ଉପରେ ଧ୍ୟାନ ପ୍ରଦାନ କରିବ। କପ୍‌୧୬ ସମ୍ମିଳନୀରେ ଜୈବ ବିବିଧତା ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ଆର୍ଥିକ ପ୍ରତିବଦ୍ଧତାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି। ସୁରକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗର ବୃଦ୍ଧି ଘଟାଇବା, ନିର୍ଦ୍ଦିଷ୍ଟ ରୂପେ ବିକାଶଶୀଳ ଦେଶଗୁଡ଼ିକୁ ସମର୍ଥନ କରିବା ଉପରେ ବିଶେଷ ଧ୍ୟାନ ପ୍ରଦାନ ନିମନ୍ତେ ବିଭିନ୍ନ ରାଷ୍ଟ୍ରର ସରକାର ଏବଂ ବେସରକାରୀ ସଂସ୍ଥାଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟ ଏକ ଉଲ୍ଲେଖନୀୟ ଉପଲବ୍ଧି ହେଉଛି, ଜୈବ ବିବିଧତା ପ୍ରଶାସନରେ ସମାନତା ଏବଂ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା। ସମ୍ମିଳନୀ ମଧ୍ୟ ଜୈବ ବିବିଧତା ସୁରକ୍ଷାରେ ଅନୁସୂଚିତ ଜନଜାତି ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଧିକାରକୁ ସ୍ବୀକୃତି ଦେଇ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କୁ ଜଡି଼ତ କରିବାର ଆବଶ୍ୟକତାକୁ ଦର୍ଶାଇଛି। ସଂରକ୍ଷଣ ପ୍ରୟାସରେ ସ୍ବଦେଶୀ ଜ୍ଞାନ ଓ ଅଭ୍ୟାସଗୁଡିକ ଅନ୍ତର୍ଭୁକ୍ତ କରିବା ଏବଂ ସମ୍ପ୍ରଦାୟଗୁଡ଼ିକୁ ସେମାନଙ୍କ ଅବଦାନ ନିମନ୍ତେ ଯଥେଷ୍ଟ କ୍ଷତିପୂରଣ ସୁନିଶ୍ଚିତ କରାଇବା ସମ୍ମିଳନୀର କୌଶଳ ବିକାଶରେ ପ୍ରତିଫଳିତ ହୋଇଛି।
କପ୍‌-୧୬ ସମ୍ମିଳନୀର ଅନ୍ୟ ଏକ ପ୍ରମୁଖ ସଫଳତା ହେଉଛି କୁନ୍‌ମିଙ୍ଗ-ମଣ୍ଟ୍ରିଲ ଢାଞ୍ଚାର ଲକ୍ଷ୍ୟଗୁଡି଼କ ଏଥିରେ ଅନୁମୋଦନ ହୋଇଛି। ଆଞ୍ଚଳିକ ପ୍ରାଥମିକତା ଏବଂ ସ୍ଥାନୀୟ ପ୍ରସଙ୍ଗଗୁଡ଼ିକ ଭିତ୍ତିରେ ପ୍ରସ୍ତୁତ ହୋଇଥିବା ଏହି ଲକ୍ଷ୍ୟସବୁକ ୁଅଧିକ ସୁସ୍ପଷ୍ଟ କରିବାରେ ଏହା ଉପଯୁକ୍ତ ଭୂମିକା ନିର୍ବାହ କରିଛି। ଏହି ସମ୍ମିଳନୀ ଜୈବ ବିବିଧତା ସୁରକ୍ଷା ପାଇଁ ଏକୀକୃତ ଆଭିମୁଖ୍ୟର ଆବଶ୍ୟକତାକୁ ସୂଚ଼ାଇ ପ୍ରକାଶ କରିଛି ଯେ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ନିରାପତ୍ତା ଏବଂ ମାନବ ସ୍ବାସ୍ଥ୍ୟସମସ୍ୟା ଜୈବ ବିବିଧତା ଅବକ୍ଷୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଉଭୟ ଆମ ଗ୍ରହର ସ୍ବାସ୍ଥ୍ୟ ଏବଂ ମାନବ ସମୃଦ୍ଧତା ନିମନ୍ତେ ‘ବିଜୟ-ବିଜୟ’ ସମାଧାନର ପନ୍ଥା ସୃଷ୍ଟି ପ୍ରତି ଜଳବାୟୁ ଏବଂ ଜୈବ ବିବିଧତା ନୀତି ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ରାଷ୍ଟ୍ରଗୁଡ଼ିକ ପ୍ରତିବଦ୍ଧ ହେବା ବାଞ୍ଛନୀୟ I ଆଶା ଥିଲା, ସମ୍ମିଳନୀର ପ୍ରତିନିଧିମାନେ ଅଭିନବ ଉପାୟର ଅନୁସନ୍ଧାନ କରିବେ, ଯାହା ମାନବ ଆବଶ୍ୟକତାକୁ ପରିବେଶ ସଂରକ୍ଷଣ ସହ ସନ୍ତୁଳିତ କରିବ, ଉପଯୁକ୍ତ କାର୍ଯ୍ୟଧାରାକୁ ପ୍ରୋତ୍ସାହିତ କରିବ ଏବଂ ସ୍ଥିରତା ଓ ନିରନ୍ତରତା ରକ୍ଷାରେ ବୃଦ୍ଧି ଘଟାଇବ। ଏ ଦୃଷ୍ଟିରୁ ସମ୍ମିଳନୀ ହାସଲ କରିଥିବା ସଫଳତାର ସ୍ତର ଭବିଷ୍ୟତ ହିଁ ନିର୍ଣ୍ଣୟ କରିବ। ପରିଶେଷରେ, କପ୍‌-୧୬ ସମ୍ମିଳନୀର ନିଷ୍କର୍ଷ ରୂପେ ଲାଭର ସମବଣ୍ଟନ, ଅର୍ଥନୈତିକ ସହାୟତା ଏବଂ ବୈଶ୍ୱିକ ସହଯୋଗ ସ୍ଥାପନ ଉପରେ ଦୃଢ଼ ଧ୍ୟାନ କେନ୍ଦ୍ରୀଭୂତ କରି ଜୈବବିବିଧତା ଅବକ୍ଷୟର ପ୍ରତିକାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିର୍ଣ୍ଣିତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ I ଏହି ସମ୍ମିଳନୀ ଆଗାମୀ ଦଶନ୍ଧିରେ ଜୈବବିବିଧତା ସଂରକ୍ଷଣ ନିମନ୍ତେ ଏକ ସମନ୍ବିତ, ଅନ୍ତର୍ଭୁକ୍ତ ଏବଂ ଉଚ୍ଚାଭିଳାଷୀ ଆଭିମୁଖ୍ୟ ଥିବା ମଞ୍ଚର ସ୍ଥାପନକରେ। ବର୍ଦ୍ଧିତ ପରିବେଶ ସଙ୍କଟ ସହ ବିଶ୍ୱ ମୁକାବିଲା କରୁଥିବାବେଳେ ରାଷ୍ଟ୍ରଗୁଡ଼ିକ ପ୍ରକୃତି ଓ ଜୈବବିବିଧତାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ପରସ୍ପରକୁ ସହଯୋଗର ହସ୍ତ ପ୍ରସାରିତ କରିବାର ପ୍ରୟାସ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଉପସ୍ଥାପନକରେ। ଅନ୍ୟଥା, ନକାରାତ୍ମକ ମାନବୀୟ କାର୍ଯ୍ୟକଳାପ ଓ ଉଦାସୀନତାର ପରିଣାମରେ ପୃଥିବୀରେ ସଂଘଟିତ ହେଉଥିବା ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବମାନଙ୍କର ସଂଖ୍ୟା ହ୍ରାସ ଓ ବିଲୁପ୍ତି ପ୍ରକ୍ରିୟା ଆଗକୁ ତ୍ୱରାନ୍ବିତ ହେବ ଏବଂ ପ୍ରକୃତିରୁ ଆମକୁ ଉପଲବ୍ଧ ହେଉଥିବା ଦ୍ରବ୍ୟ ଓ ସେବାର ପ୍ରବାହ କ୍ରମଶଃ ନିଃଶେଷ ହୋଇଚାଲିବ। ଆମ ଗ୍ରହର ଜୈବିକ ଐତିହ୍ୟର ଭବିଷ୍ୟତ ସୁରକ୍ଷା ନିମନ୍ତେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଏହି ସମ୍ମିଳନୀରେ ଏକତ୍ରିତ ହୋଇଥିବା ପ୍ରତିନିଧିମାନେ ଆଗାମୀ ଦିନରେ ଗୃହୀତ ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀକରି ଏକ ସୃଜନାତ୍ମକ ପରିବର୍ତ୍ତନର ବାର୍ତ୍ତା ଉପସ୍ଥାପନ କରୁଛନ୍ତି, ତାହା ଉପରେ ହିଁ ବିଶ୍ୱବାସୀଙ୍କ ନଜର ରହିବ।

ଡ. ଜୟକୃଷ୍ଣ ପାଣିଗ୍ରାହୀ
କାର୍ଯ୍ୟକାରୀ ସଭାପତି,
ଓଡ଼ିଶା ପରିବେଶ ସମିତି
ମୋ:୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri