ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟ କରୁଥିବା ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ମିଶ୍ରଙ୍କୁ ଡିଜିପିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପ୍ରସ୍ତାବକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ପ୍ରତିକ୍ରିୟା ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ନୂତନ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ରାଜ୍ୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ରକ୍ଷା କରିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ। ସମଗ୍ର ପୁଲିସ ବାହିନୀକୁ ସାଙ୍ଗରେ ନେଇ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ତାଙ୍କର ମୁଖ୍ୟ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଅନ୍ତରୀଣ ଡିଜିପି ଭାବେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ କରିବାକୁ ପୂର୍ଣ୍ଣ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।