ଭୁବନେଶ୍ୱର,୧୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବିମ୍ସଟେକ୍ ବ୍ୟବସାୟ କନ୍କ୍ଲେଭ-୨୦୨୩ର ଆୟୋଜନ କରାଯାଉଛି। ଏହି କନ୍କ୍ଲେଭ ଚଳିତ ବର୍ଷ ଜୁନ୍ ୧୩ରୁ ୧୫ ପର୍ଯ୍ୟନ୍ତ କୋଲକାତା ଠାରେ ଅନୁଷ୍ଠିତ ହେବ। ଏ ନେଇ ଆଇଏନ୍ଡବ୍ଲ୍ୟୁଇସି ବିଆଇଏମ୍ଏସ୍ଟିଇସି ନେତୃତ୍ୱ ଫୋରମ୍ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ଆୟୋଜନ କରାଯାଇଥିଲା। ବିଶେଷକରି ଆଇସିସି, ଏଲ୍ଏସ୍ଜି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଉଦ୍ୟୋଗୀମାନଙ୍କ ପାଇଁ ଏଭଳି ଏକ କନ୍କ୍ଲେଭ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏପରିକି ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର ୧୨ ଜଣ ମହିଳା ଉଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ଏହାକୁ ପ୍ରତିନିଧିତ୍ୱ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏନ୍ଡବ୍ଲ୍ୟୁଇସିର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବେ ସୁକୀର୍ତ୍ତି ପଟ୍ଟନାୟକ ନିକଟରେ ନୟନ ତାରା ପାଲ ଚୌଧୁରୀଙ୍କଠୁ ଉକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ନେତୃତ୍ୱରେ ଆଇଏନ୍ଡବ୍ଲ୍ୟୁଇସି ବିଆଇଏମ୍ଏସ୍ଟିଇସି ନେତୃତ୍ୱ ଫୋରମ୍ ଆୟୋଜନ କରୁଛି। ନୂତନ ଦାୟିତ୍ୱ ଗ୍ରହଣ ପରେ ସୁକୀର୍ତ୍ତି ଅନେକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି, ଯାହା ଜାତୀୟସ୍ତରରେ ଉଦ୍ୟୋଗିତା ଦୃଶ୍ୟପଟର ବିକାଶ ତଥା ଆମ ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ଉପକୃତ କରିବ।
ସୂଚନାଯୋଗ୍ୟ, ଓଡ଼ିଶା ପ୍ରତିନିଧି ଦଳରେ ସୁକୀର୍ତ୍ତି ପଟ୍ଟନାୟକ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, ମିନୁ ପଟ୍ଟନାୟକ, ସ୍ବାତି କେଜ୍ରିୱାଲ, ସୋଫିଆ ଫିରର୍ଦୋସ୍, ସୋନୀ ସାମଲ, ଜୁବିନା ଅଲ୍ଲୀ, ଅନୁରାଧା ମହାନ୍ତି, ଶ୍ୱେତା ଶର୍ମା ଏବଂ ଡା. ସ୍ଥିତିପ୍ରଜ୍ଞା ରହିଛନ୍ତି। ଉକ୍ତ ସମ୍ମିଳନୀରେ ଶିକ୍ଷା, ପର୍ଯ୍ୟଟନ ବାଣିଜ୍ୟ, ରତ୍ନ ଏବଂ ଅଳଙ୍କାର, ସ୍ବାସ୍ଥ୍ୟସେବା ସଂଯୋଗୀକରଣ, କୃଷି, ଆର୍ଥତ୍କ ସେବା, ହସ୍ତତନ୍ତ୍ର, ଷ୍ଟାର୍ଟଅପ୍, ଜଳବାୟୁ ପରିବର୍ତ୍ତନ, ମହିଳା ଉଦ୍ୟୋଗୀଙ୍କ ପାଇଁ ସୁଯୋଗ ଇତ୍ୟାଦି ବିଷୟ ଉପରେ ଆଲୋଚନା ହେବ।


