କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ଗିରଫ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ମୟୂରଭଞ୍ଜ ଜିଲା ଉଦଳା ସବ୍‌-ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କୁ ବୁଧବାର ଭିଜିଲାନ୍ସ ଗିରଫ କରିଛି। ଚଢ଼ାଉ ଓ ଯାଞ୍ଚରୁ ତାଙ୍କ ସହ ପରିବାର ସଦସ୍ୟଙ୍କ ନାଁରେ ୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏହି ସମ୍ପତ୍ତି ସଂକ୍ରାନ୍ତରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ରବିନାରାୟଣ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଏକ ମାମଲା (ନଂ.୮/୨୦୨୨) ରୁଜୁ କରାଯାଇଛି। ତେବେ ଗିରଫ ପରେ ଅଭିଯୁକ୍ତ ରବିନାରାୟଣଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ସୋମବାର ରବିନାରାୟଣଙ୍କ ଘର ସମେତ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଖୋର୍ଦ୍ଧାର ୮ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଯାଞ୍ଚରୁ ଭୁବନେଶ୍ୱର ଆଇଗିଣିଆରେ ୩ ମହଲା କୋଠା, ପାତ୍ରପଡ଼ା ‘ବ୍ଲୁ ହ୍ବିଲ୍‌’ ଆପାର୍ଟମେଣ୍ଟର ଫ୍ଲାଟ୍‌ ସହ ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୫ ପ୍ଲଟ, କଟକରେ ୨ଟି ଓ କେନ୍ଦ୍ରାପଡ଼ାରେ ୫ ସମେତ ମୋଟ ୧୨ଟି ପ୍ଲଟ ମଧ୍ୟ ଠାବ ହୋଇଥିଲା। ଏଥିସହ ନଗଦ ୨୮.୯ ଲକ୍ଷ ଟଙ୍କା, ୨.୩ କେଜିର ସୁନା ଅଳଙ୍କାର, ୪ଟି ଚାରିଚକିଆ ଯାନ, ୩ଟି ବାଇକ, ୨୪ ଲକ୍ଷ ଟଙ୍କାର ଘରୋଇ ଉପକରଣ ଏବଂ ୧.୨୦ କୋଟି ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା ମିଳିଥିଲା। ସେହିପରି ବିଭିନ୍ନ ବ୍ୟାଙ୍କରେ ଏକାଧିକ କ୍ରେଡିଟ୍‌ କାର୍ଡ ଦ୍ୱାରା ରବିନାରାୟଣଙ୍କ ପୁଅ ସୌମିତ ପଣ୍ଡା ୧ କୋଟିର ନେଣଦେଣ କରିଥିବା ମଧ୍ୟ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ୮ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ୧୧ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ନିୟୋଜିତ ଥିଲେ।