ଭେଣ୍ଡରଙ୍କ ଜାଲ୍‌ ରସିଦରେ ବିଲ୍‌

କୋରେଇ,୨୬।୩(ଡି.ଏନ.ଏ.):କୋରେଇ ବ୍ଲକ ଅଧୀନରେ ଦୁର୍ନୀତି ବଢ଼ି ଚାଲିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପୂର୍ବରୁ ଜାଲ୍‌ ମଷ୍ଟରରୋଲ ଏବଂ ଜବ୍‌ କାର୍ଡ କରି ଚର୍ଚ୍ଚାରେ ରହୁଥିବା ଅଧିକାରୀଙ୍କ ନାମରେ ଏବେ ଜାଲ୍‌ ଭେଣ୍ଡର ରସିଦରେ ବିପୁଳ ଟଙ୍କାର ମ୍ୟାଟେରିଆଲ ବିଲ୍‌ କରି ଟିକସ ଫାଙ୍କି ଅଭିଯୋଗ ହୋଇଛି। ମାତ୍ର ଯେତେ ଅଭିଯୋଗ ହେଲେ ମଧ୍ୟ ଦ୍ରବ୍ୟ ଓ ସେବା କର ବିଭାଗ (ଜିଏସ୍‌ଟି ) କିମ୍ବା ଦୁର୍ନୀତି ନିବାରଣ ବିଭାଗ( ଭିଜିଲାନ୍ସ) ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ଉଭୟ ବିଭାଗର କାର୍ଯ୍ୟଶୈଳୀ ଓ ସ୍ବଚ୍ଛତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବ୍ଲକ କର୍ତ୍ତୃପକ୍ଷଙ୍କ ସହିତ ଭିତ୍ତିରି ବୁଝାମଣା ଥିବା ସନ୍ଦେହ ଘନୀଭୂତ ହେଉଛି।
ବ୍ଲକ ଅଧୀନରେ ହେଉଥିବା ସମସ୍ତ କାର୍ଯ୍ୟର ବିଲ୍‌ ଭେଣ୍ଡରଙ୍କ ମାଧ୍ୟମରେ ହେବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ବିଡ଼ମ୍ବନାର ବିଷୟ ଏହି ନିର୍ଦ୍ଦେଶର ଅପବ୍ୟବହାର କରି କେତେଜଣ ଦୁର୍ନୀତିଖୋର ଅଧିକାରୀ ଭେଣ୍ଡରଙ୍କ ଜାଲ ରସିଦରେ ବିଲ୍‌ କରି ଆବଣ୍ଟିତ ଅର୍ଥରାଶି ହରିଲୁଟ କରୁଛନ୍ତି। ଜିଏସ୍‌ଟି ରୁଲ୍ସ ନଂ.୪୬ର ସେକ୍ସନ ୩୧ ଅନୁସାରେ ବିକ୍ରୟ ରସିଦ ପ୍ରସ୍ତୁତ କରିବା କଥା। କିନ୍ତୁ ବ୍ଲକରେ ଭେଣ୍ଡର ଦେଉଥିବା ସାମଗ୍ରୀ କ୍ରୟ ଓ ବିକ୍ରୟ ରସିଦରେ ଏହି ନିୟମ ପାଳନ କରାଯାଉନାହିଁ। ବିକ୍ରୟ ରସିଦରେ ସାମଗ୍ରୀ ବିକ୍ରୟର ଗନ୍ତବ୍ୟସ୍ଥଳୀ ଲେଖାଯିବା କଥା। କିନ୍ତୁ ଏହା ଲେଖା ଯାଉନାହିଁ। ସେହିପରି କ୍ରୟ କରୁଥିବା ସଂସ୍ଥାର ଜିଏସ୍‌ଟି ନମ୍ବର ରହୁନାହିଁ। କେଉଁ ତାରିଖରେ ସାମ ଗ୍ରୀ ବିକ୍ରି କରାଯାଉଛି ରସିଦରେ ତା’ର କୌଣସି ଲିପିବଦ୍ଧ ନାହିଁ। କୌଣସି ସାମଗ୍ରୀରେ ହର୍ମୋନାଇଜ୍‌ଡ ସିଷ୍ଟମ ଅଫ୍‌ ନୋମେନକ୍ଲେଚର (ଏଚ୍‌ଏସ୍‌ଏନ୍‌ କୋଡ୍‌) ରହୁନାହିଁ। ରସିଦରେ କେନ୍ଦ୍ରୀୟ ବିକ୍ରୟ ଟିକସ ଓ ରାଜ୍ୟ ବିକ୍ରୟ ଟିକସ ଲେଖାଯାଉନାହିଁ। ଏହି ବିକ୍ରୟ ରସିଦରେ ବିକ୍ରି କରାଯାଇଥିବା ସାମଗ୍ରୀଗୁଡିକଉପରେ କେତେ ଶତକଡ଼ା ଟିକସ ଦିଆଯାଉଛି ତାହା ମଧ୍ୟ ଉଲ୍ଲେଖ ରହୁନାହିଁ। ଏହିଭଳି ଭାବରେ ବ୍ଲକରେ ଜାଲ୍‌ ରସିଦ ଦେଇ ଏକାଧିକ ଭେଣ୍ଡର ବିପୁଳ ଟଙ୍କାର ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଛି।
ବାସ୍ତବରେ ଅଫିସରମାନଙ୍କ ନାମରେ ଓ୍ବାର୍କ ଅର୍ଡର ରହୁଥିବା ବେଳେ ସ୍ଥାନୀୟ ଠିକାଦାର ସବୁ କାର୍ଯ୍ୟ କରିବା ସହ ଆବଶ୍ୟକ ମ୍ୟାଟେରିଆଲ ବାହାରୁ କ୍ରୟ କରୁଛନ୍ତି। ଲେବର ପେମେଣ୍ଟ ଓ ସାମଗ୍ରୀ କ୍ରୟର ଅର୍ଥରାଶି ଭେଣ୍ଡରଙ୍କ ରସିଦ ମାଧ୍ୟମରେ ପୈଠ ହେଉଥିବା କାରଣରୁ ଅଧିକାରୀ ଓ ଭେଣ୍ଡର ଚଞ୍ଚକତା କରି ଜାଲ୍‌ ରସିଦ ସାହାଯ୍ୟରେ ବିଲ୍‌ କରୁଛନ୍ତି। ଫଳରେ ସରକାରଙ୍କୁ ଯେଉଁ ଆକାରରେ ଟିକସ ମିଳିବା କଥା ତାହା ମିଳୁନାହିଁ। ଅଧିକାରୀ ଓ ଭେଣ୍ଡର ମିଳିମିଶି ସରକାରଙ୍କ ରାଜସ୍ବରୁ ଅନୁଦାନ ଆତ୍ମସାତ କରୁଛନ୍ତି। ଏ ସମ୍ପର୍କରେ ଉପବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ ପୁଷ୍କର ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି, ୨ଜଣ ଭେଣ୍ଡରଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସେମାନେ ହାଜର ହୋଇନାହାନ୍ତି। ଆଗାମୀ ଦିନରେ ସେମାନଙ୍କୁ ସମନ କରାଯିବ। ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରୁ ସେ କହିଛନ୍ତି, ଜାଲ୍‌ ରସିଦ ସମ୍ପର୍କରେ କିଛି ତଥ୍ୟ ନାହିଁ କି ଏହି ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ।