ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ଜଣଙ୍କ ହେଲେ ବରଗଡ ଜିଲା ଡାଙ୍ଗବାହାଲ ଗାଁର କୃଷ୍ଣଚନ୍ଦ୍ର ଭୋଇ। ତେବେ ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ବଲାଙ୍ଗୀର-ସମ୍ବଲପୁର ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ସହର ଭିତରେ ବାଇପାସ ରାସ୍ତା ନ ଥିବାରୁ ମାଲବାହୀ ଗାଡି ସହର ମଧ୍ୟ ଦେଇଯାଉଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ହୋଇ ଧନଜୀବନ ନଷ୍ଟ ହେଉଛି। ଏହାକୁ ନେଇ ଅନେକ ଥର ବାଇପାସ ରାସ୍ତା ନିର୍ମାଣ କରାଯାଉ ବୋଲି ଦାବି ହେଉଛି। ହେଲେ ତାହା ଏଯାବତ ହୋଇନାହିଁ। ଏବେ ଏଠାରେ ପୁଣି ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବାଇପାସ ରାସ୍ତା ନିର୍ମାଣ ଦାବିରେ ଲୋକେ ରାସ୍ତାରୋକୋ କରିଛନ୍ତି । ଏପରିକି ଦୁର୍ଘଟଣା ଘଟାଇଥିବା ଟ୍ରଲରରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଫଳରେ ବଲାଙ୍ଗୀର-ସମୱଲପୁର ରାଜରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି ।