ପାରଳାଖେମୁଣ୍ଡି, ୨୨।୧୧(ଗିରିଧାରୀ ପରିଛା): ରାସ୍ତାରେ ହଠାତ୍ ଗାଈ ଆସିଯିବାରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ହୋର୍ଡିଂ ବୋର୍ଡକୁ ଧକ୍କା ଦେଲା ବାଇକ୍। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ପଛରେ ବସିଥିବା ଅନ୍ୟ ଜଣେ ଆହତ ହୋଇଛନ୍ତି। ପାରଳାଖେମୁଣ୍ଡି ସହରର ପୁରୁଣାପାଟଣା ରାସ୍ତାରେ ଏକ ହୋର୍ଡିଂ ବୋର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଆହତ ପ୍ରକାଶ କୁମାର ୟାଦବଙ୍କ ସୂଚନା ଅନୁଯାୟୀ, ବିହାରର ସୀତାମଢ଼ୀ ଜିଲା ଟିକାଉଲି ଗ୍ରାମର ରୋଶନ କୁମାର ୟାଦବ (୨୫) ଓ ସେ ପୁରୁଣାପାଟଣା ନିକଟ ଆନ୍ଧ୍ରପ୍ରଦେଶର ବୁରୁଗାଁରୁ ପଲାସା ଯାଇ ଫେରୁଥିଲେ। ପାରଳାଖେମୁଣ୍ଡିର ପୁରୁଣାପାଟଣା ରାସ୍ତାରେ ଏକ ହୋର୍ଡିଂ ବୋର୍ଡ ନିକଟରେ ହଠାତ୍ ଏକ ଗାଈ ସାମ୍ନାକୁ ଚାଲି ଆସିଥିଲା। ଗାଈଟିକୁ ବଞ୍ଚାଇବାକୁ ଯାଇ ରୋଶନ ବାଇକ୍ର ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ହୋର୍ଡିଂ ବୋର୍ଡକୁ ଧକ୍କା ଦେଇଥିଲେ। ଫଳରେ ବୋର୍ଡ ଓ ତଳେ ପଡ଼ିଥିବା ପଥର ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ରୋଶନଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇଥିଲେ। ତେବେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ନ ପହଞ୍ଚିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଦୁର୍ଘଟଣାର ପ୍ରାୟ ଦୁଇ ଘଣ୍ଟା ପରେ ମହାପ୍ରୟାଣ ଗାଡ଼ି ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା।
ମୃତ ରୋଶନ ଓ ଆହତ ପ୍ରକାଶ ଉଭୟ ବିହାରର ବାସିନ୍ଦା। ରୋଶନ ଆନ୍ଧ୍ରପ୍ରଦେଶର ବୁରୁଗାଁରେ ଏକ ଜଳ ପ୍ରକଳ୍ପରେ ଜେସିବି ଚାଳକ ଭାବେ କାର୍ଯ୍ୟ କରୁଥିଲେ।

