ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ପ୍ରାୟ ୪୦ ଫୁଟ ତଳକୁ ଖସିପଡ଼ିବାରୁ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ମୃତ ଯୁବକ ହେଲେ ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ଅରମଡ଼ା ଗ୍ରାମର ପ୍ରଦୀପ କୁମାର ଲିମା (୩୦)। ଗୁରୁତର ଆହତ ହୋଇଥିବା ଯୁବକ ହେଲେ ଅଶ୍ୱିନୀ ଜେନା (୩୪), ଯାହାଙ୍କ ଘର କେନ୍ଦ୍ରାପଡ଼ା ଜିଲାରେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ପ୍ରଦୀପ କୁମାର ଲିମାଙ୍କୁ ମୃତ ଘୋଷଣା କରିଥିବାବେଳେ ଅଶ୍ୱିନୀ ଜେନାଙ୍କ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁସାରେ, ଉଭୟ ଗୁଣୁପୁରସ୍ଥିତ ଆର୍.କେ. ଟେଣ୍ଟ ହାଉସର କର୍ମଚାରୀ ଥିଲେ। ବକେୟା ଟଙ୍କା ଆଦାୟ ପାଇଁ ସେମାନେ ବାଇକ୍ରେ ସର୍ଗୀଆସିଂ ଗ୍ରାମକୁ ଯାଉଥିବା ବେଳେ ଆରାଡୁଲ ଘାଟିରେ ଏହି ଅଘଟଣ ଘଟିଥିଲା। ଖବର ପାଇ ପୁଟାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍କୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ପୁଟାସିଂ ଥାନା ଅଧିକାରୀ ବିନ୍ଦୁଲତା ନାୟକ ସୂଚନା ଦେଇଛନ୍ତି।