୪ ମାସ ତଳେ ବାପା ଆଖି ବୁଜିଥିଲେ, ଏବେ ଦୁର୍ଘଟଣାରେ ଚାଲିଗଲା ୨୨ ବର୍ଷୀୟ ପୁଅଙ୍କ ଜୀବନ: ଗ୍ରାମରେ ଶୋକାକୁଳ ପରିବେଶ…

ଦିଗପହଣ୍ଡି, ୧୦।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଡେଙ୍ଗାଓସ୍ତା ଗ୍ରାମରୁ ପଳାସପୁର ଯାଉଥିବା ରାସ୍ତାର ହରିଣା-ଗୁଣ୍ଡୁରିଗୁଡ଼ା ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ ଗଛକୁ ବାଇକ୍‌ ଧକ୍କା ଦେବା ଫଳରେ ଚାଳକ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଦିଗପହଣ୍ଡି ବ୍ଲକ୍‌ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମର ସ୍ୱର୍ଗତ ବି. ରାଜମଣି ଦୋରାଙ୍କ ପୁଅ ବି. ପ୍ରସାଦ ଦୋରା (୨୨) ବୋଲି ପାଟପୁର ପୋଲିସ ଚିହ୍ନଟ କରିଛି।

ଘଟଣାରୁ ପ୍ରକାଶ ଯେ, ପ୍ରସାଦ କୌଣସି କାମରେ ନିଜ ବାଇକ୍‌ (ନଂ. OD 07 AY 2584) ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଗଛକୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ସେ ବାଇକ୍‌ ସହ ରାସ୍ତା ଉପରକୁ ଛିଟକି ପଡ଼ିଥିଲେ। ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଖବର ପାଇବା ପରେ ପାଟପୁର ପୋଲିସ ମାମଲା ରୁଜୁ କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି। ମୃତ ପ୍ରସାଦ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତ ପ୍ରାୟ ୪ ମାସ ତଳେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିବାରୁ ସେ ଗାଁକୁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Odia Daily

Share