ପ୍ରବାଦପୁରୁଷ ବିଜୁବାବୁ

ବୀର ପ୍ରସବିନୀ ଉତ୍କଳମାଟି ଜନ୍ମ ଦେଇଛି ଅନେକ ବରପୁତ୍ରଙ୍କୁ। ସେହି ଯୋଗଜନ୍ମା ଯୋଗ୍ୟ ସୁତଙ୍କୁ ନେଇ ଉତ୍କଳମାଟି ଆଜି ଗର୍ବିତ। ଯେଉଁମାନଙ୍କର କୀର୍ତ୍ତି ଆଜି ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ତନ୍ମଧ୍ୟରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଅନ୍ୟତମ। ୧୯୧୬ ମାର୍ଚ୍ଚ ୫ ତାରିଖରେ ପିତା ଲକ୍ଷ୍ମୀନାରାୟଣ ଓ ମାତା ଆଶାଲତାଙ୍କ କୋଳମଣ୍ଡନ କରିଥିଲେ ସେ। ବାଲ୍ୟ ଜୀବନରୁ ସେ ଥିଲେ ସ୍ବାଧୀନ ଚେତା, ଅସୀମ ସାହସୀ ଓ ଦେଶପ୍ରେମୀ। ତେବେ ଆଧୁନିକ ଓଡ଼ିଶାର ସେ ଥିଲେ ବିଶ୍ୱକର୍ମା। ପ୍ରଗତିଶୀଳ ଓଡ଼ିଶାର ସେ ଥିଲେ ନିର୍ମାତା। ଲୋକପ୍ରିୟ ଜନନାୟକ, ସମାଜସେବକ, ଦୀନ ଦୁଃଖୀର ଆଶା ଓ ଭରସା ଥିଲେ ବିଜୁବାବୁ। ନାରୀ ସଶକ୍ତୀକରଣ, ଆଦିବାସୀଙ୍କ ପାଇଁ ନିରଳସ କାମ କରିବା ଥିଲା ତାଙ୍କ ନେତୃତ୍ୱର ଅନ୍ୟ ଏକ ପରିଚୟ। ଅର୍ଥନୀତିରେ ଉନ୍ନତି ଆଣିବା ଥିଲା ତାଙ୍କ ଲକ୍ଷ୍ୟ। ଗର୍ବ, ଗରିମା ଓ ସ୍ବାଭିମାନର ସ୍ବାକ୍ଷର ଆଙ୍କିଥିଲେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ଦୁର୍ଦ୍ଧର୍ଷ ପାଇଲଟ, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା, ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।
ଆଜି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଟଲ୍‌ ମ୍ୟାନ୍‌ଙ୍କ ସ୍ମୃତିକୁ ମନେପକାଉଛି ସାରା ଓଡ଼ିଶା। ସାଲିସବିହୀନ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ ଓ ସ୍ବାଭିମାନର ପ୍ରତୀକ, କଳିଙ୍ଗ ବୀର ଓ ପ୍ରବାଦପୁରୁଷ ଭାବରେ ଘରେ ଘରେ ପରିଚିତ ବିଜୁ ପଟ୍ଟନାୟକ। କେବଳ ଓଡ଼ିଶା ନୁହେଁ, ଭାରତର ରାଜନୀତିରେ ଯେଉଁ କେତେଜଣ ଉଚ୍ଚରୁ ଉଚ୍ଚତର ସୋପାନରେ ପହଞ୍ଚିପାରିଥିଲେ ସେମାନଙ୍କ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ୟତମ। ବାଲ୍ୟକାଳରୁ ଥିଲେ ସାହସୀ ଓ ସ୍ବାଭିମାନୀ। କଟକ ମିଶନ ସ୍କୁଲ, ରେଭେନ୍‌ଶା କଲେଜରୁ ଆଇସିଏସ୍‌ ପରେ ପାଇଲଟ ଭାବେ ପ୍ରଶିକ୍ଷଣ ନେଇଥିଲେ। ନିଜକୁ ଜଣେ ଦକ୍ଷ ପାଇଲଟ ଭାବେ ପ୍ରତିଷ୍ଠା କରି କଳିଙ୍ଗ ବୀର ଭାବେ ଅଭିହିତ ହୋଇଥିଲେ। ଇଣ୍ଡୋନେସିଆ ମୁକ୍ତି ଆନ୍ଦୋଳନରେ ଡଚ୍‌ମାନଙ୍କ କବଳରୁ ସୁଲତାନ ସାଜହରିରଙ୍କୁ ମୁକ୍ତ କରି ସମସ୍ତଙ୍କୁ ବିସ୍ମିତ କରିଥିଲେ। ସେଥିପାଇଁ ବିଜୁବାବୁଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା। ଓଡ଼ିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀ ଧରି ସେ ଜଡ଼ିତ ଥିଲେ।
୧୯୯୦ରୁ ୧୯୯୫ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ସହ ସେ ହିଁ ବାସ୍ତବ କ୍ଷେତ୍ରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ କଲେ। ପଞ୍ଚାୟତିରାଜ ବ୍ୟବସ୍ଥା, ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାଙ୍ଗକୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିଲା। ନିର୍ବାଚନରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ସଂରକ୍ଷଣ କରାଯିବା ଫଳରେ ୨୭ ହଜାର ମହିଳା ନିର୍ବାଚିତ ହୋଇପାରିଥିଲେ। ଏପରି କି ପଞ୍ଚାୟତର ସରପଞ୍ଚ ପୁରୁଷ ଥିଲେ। ମହିଳା ନାଏବ ସରପଞ୍ଚ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀରେ ପୁରୁଷ ଥିଲେ। ଉପାଧ୍ୟକ୍ଷ ପାଇଁ ମହିଳା ରହିବେ ବୋଲି ଆଇନ ପ୍ରଣୟନ କରାଗଲା। ମୋଟାମୋଟି ଭାବେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ବେଶ୍‌ ସୁଦୃଢ଼ ହୋଇପାରିଥିଲା। ଖାଲି ସେତିକି ନୁହେଁ, ଶିକ୍ଷା ଓ ସ୍ବାସ୍ଥ୍ୟ ସମେତ ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେବାକୁ ବିଜୁବାବୁ ପ୍ରୟାସ କରିଥିଲେ। ଗ୍ରାମାଞ୍ଚଳର ବିକାଶ ଲାଗି ନିରନ୍ତର ଉଦ୍ୟମ ରହିଥିଲା ବିଜୁବାବୁଙ୍କର। ବିଧାନସଭାରେ ଏସମ୍ପର୍କିତ ବିଲ୍‌ ପାସ୍‌ କରି ସେ ଏ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଏପରି କି ସାରା ଦେଶରେ ଏନେଇ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ।
ବିଜୁବାବୁ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ସେ ଥିଲେ ଜଣେ ବିସ୍ମୟକର ରାଜନେତା ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ପାରାଦୀପ ବନ୍ଦର, ଡୁବୁରୀରୁ ପାରାଦୀପ ଏକ୍ସପ୍ରେସ ୱେ, ଚୌଦ୍ୱାରରେ ଓଟିଏମ୍‌ ଓ କଳିଙ୍ଗ ଟ୍ୟୁବ୍ସ କାରଖାନା, ଭୁବନେଶ୍ୱରରେ ସୈନିକ ସ୍କୁଲ ଆଦି ପ୍ରତିଷ୍ଠା କରିଥିଲେ। ପ୍ରଶାସନକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବାକୁ ୧୩ଟି ଜିଲାକୁ ୩୦ଟି ଜିଲାରେ ପରିଣତ କରିଥିଲେ। ସେ କେବଳ ଜଣେ ଦୁଃସାହସିକ, ଅଦମନୀୟ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ନ ଥିଲେ, ଥିଲେ ଜଣେ ଦରଦୀ ମଣିଷ। ସେ ଥିଲେ ଖାଣ୍ଟି ଓଡ଼ିଆ। ସେ ଦିନେ କହିଥିଲେ, ‘ମୁଁ ଖାରବେଳଙ୍କ ବଂଶଧର। ମୋର ସଂସ୍କୃତି ଜଗନ୍ନାଥ ସଂସ୍କୃତି। ଆଉ ମୋର ରାଜ୍ୟ କଳିଙ୍ଗ। ବୀର ପ୍ରସବିନୀ ଉତ୍କଳ ମାଟିର ବରପୁତ୍ର, ଜନପ୍ରତିନିଧି ଓ ଆଧୁନିକ ଓଡ଼ିଶାର ସୂକ୍ଷ୍ମ କାରିଗର ଥିଲେ ବିଜୁବାବୁ।
୧୭ ଏପ୍ରିଲ ୧୯୯୭ରେ ଏହି ମହାନ୍‌ ଜନନେତାଙ୍କର ମହାପ୍ରୟାଣ ଘଟିଥିଲା। ଉତ୍କଳ ମାତାର ଯୋଗ୍ୟତମ ସୁତ ନିର୍ଭୀକ ଜନନାୟକ ବିଜୁବାବୁ ସମସ୍ତଙ୍କୁ ଶୋକସାଗରରେ ଭସାଇଦେଇ ଇହଧାମ ତ୍ୟାଗ କଲେ। ଉତ୍କଳଜନନୀ ତା’ର ବରପୁତ୍ରକୁ ହରାଇଲା। ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ। ତାଙ୍କର ବୁଦ୍ଧି, ଦକ୍ଷତା ଓ ଦୂରଦୃଷ୍ଟି ବଳରେ ବିଜୟାନନ୍ଦ ପଟ୍ଟନାୟକରୁ ସେ ପାଲଟି ଯାଇଥିଲେ ଶତାବ୍ଦୀ ପୁରୁଷ । ତେବେ ତାଙ୍କର ଜୀବନକାଳ ଭିତରେ ସେ ଯେଉଁ କର୍ମ କରିଯାଇଛନ୍ତି, ତାହା ତାଙ୍କୁ ଚିରଦିନ ପାଇଁ ଅମର କରି ରଖିବ।

ଚିତ୍ତରଞ୍ଜନ ପୃଷ୍ଟି
ନିମାପଡା, ପୁରୀ
ମୋ: ୯୭୭୮୧୭୭୫୦୧


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri