ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ’ ଏବଂ ‘ଶାସ୍ତ୍ରୀ ଜୟନ୍ତୀ’, ଅକ୍ଟୋବର ୯ ତାରିଖରେ ଉତ୍କଳମଣୀ ଗୋପବନ୍ଧୁ ଜୟନ୍ତୀ ଏବଂ ଅକ୍ଟୋବର ୧୧ ତାରିଖରେ ‘ଲୋକନାୟକ ଜୟପ୍ରକାଶ ଜୟନ୍ତୀ’ ପାଳନ ହେବ । ଏଥିପାଇଁ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସଂଯୋଜକ, ଏମ୍‌ପି, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲା ସଭାପତି, ରାଜ୍ୟ ସଭାପତି ଏବଂ ବ୍ଲକ ଓ ନଗର ସଭାପତିଙ୍କୁ ଚିଠି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।