୧୭ରେ ସବୁ ନିର୍ବାଚନମଣ୍ଡଳୀରେ ପାଳନହେବ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଆସନ୍ତା ୧୭ ତାରିଖରେ ପଡୁଥିବା ବେଳେ ଏଥର ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଏହି ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ କୁହାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ମାଧ୍ୟମରେ ସବୁ ନେତା ଓ କର୍ମୀଙ୍କୁ କହିଛନ୍ତି, ଏ ବର୍ଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ଏହାସହ ରାଜ୍ୟବାସୀଙ୍କ ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତା ସ୍ବରୂପ ‘ଓଡ଼ିଶା ମୋ ପରିବାର’ ତରଫରୁ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ‘ସମୂହ ରକ୍ତଦାନ ଶିବିର’ ପ୍ରତି ନିର୍ବାଚନମଣ୍ଡଳୀରେ ଆୟୋଜନ ହେବ। ଏହି ଦିବସରେ ବିଜେଡିର ପ୍ରତ୍ୟେକ ସଦସ୍ୟ ବିଜୁ ପଟ୍ଟନାୟକଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ଲାଗି ସଂକଳ୍ପବଦ୍ଧ ହେବାକୁ ସେ କହିଛନ୍ତି। ସେ ଆହୁରି କହିଛନ୍ତି, ବିଜୁବାବୁ ସେବା, ତ୍ୟାଗ ତଥା ସ୍ବାଭିମାନର ପ୍ରତୀକ ଥିଲେ। ଦାରିଦ୍ର୍ୟ ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବା ସହିତ ରାଜ୍ୟର ସର୍ବାଙ୍ଗୀନ ବିକାଶ ,କୃଷି କ୍ଷେତ୍ରରେ ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମହିଳା ସଶକ୍ତୀକରଣ, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି, ଉତ୍କଳୀୟ ସ୍ବାଭିମାନର ନ୍ୟାଯ୍ୟ ଦାବି ପାଇଁ ସେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିଥିଲେ। ସେ ସାରା ଜୀବନ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ। ଏହି ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉକ୍ତ ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ଦରକାର। ଏହାବାଦ୍‌ ସକାଳ ୬ଟା ୩୦ ମିନିଟ୍‌ରେ ତିଳତର୍ପଣ, ୭ଟା ୩୦ରେ ପ୍ରଭାତ ଫେରୀ ଏବଂ ସମୂହ ସଫେଇ ଅଭିଯାନ, ୮ଟା ୩୦ରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଅପରାହ୍ନ ୫ଟାରେ ଦୀପଦାନ ଏବଂ ସମୂହ ସଂକଳ୍ପ କାର୍ଯ୍ୟକ୍ରମ କରିବା ଲାଗି ଦଳ ତରଫରୁ କୁହାଯାଇଛି।