ଓଡ଼ିଶାରେ ବନ୍ଦର କରିବ ବିହାର

ଭୁବନେଶ୍ୱର,୩ା୩(ବ୍ୟୁରୋ): ଓଡ଼ିଶା ଉପକୂଳରେ ବିହାର ସରକାର ଏକ ବନ୍ଦର ନିର୍ମାଣ କରିବାକୁ ଚାହୁଁଛନ୍ତି। ଏ ସମ୍ପର୍କିତ ଏକ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା କରିବାକୁ ବିହାର ସରକାରଙ୍କ ଏକ ପ୍ରତିନିଧି ଦଳ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ବିହାର ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବ୍ରଜେଶ ମେହେରୋତ୍ରାଙ୍କ ଅଧ୍ୟକ୍ଷତାରେ ଆସିଥିବା ଉକ୍ତ ଟିମ୍‌ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ମେହେରୋତ୍ରା ସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାର ଶିଳ୍ପାଞ୍ଚଳର ବିକାଶ କରିବା ପାଇଁ ଯୋଗାଇ ଦେଉଥିବା ଭିତ୍ତିଭୂମି ଓ ସୁବିଧାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ମୁଖ୍ୟ ଶାସନ ସଚିବ ମହାପାତ୍ର କହିଛନ୍ତି, ବନ୍ଦର ପାଇଁ ପେସାଦାର ବାଣିଜ୍ୟଭିତ୍ତିକ କରିପାରିଲେ ତାହା ଦୀର୍ଘ ସମୟ ଚାଲିପାରିବ। ବିହାର ସରକାରଙ୍କ ଆବଶ୍ୟକତା ବିଷୟରେ ଜଣାଇଲେ ସେହି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି। ରାଜ୍ୟରେ ନୂତନ ବନ୍ଦର କରିବାକୁ ୧୪ଟି ସ୍ଥାନ ଚିହ୍ନଟ କରାଯାଇଛି। ସେଥିରୁ ୭ଟି ଉତ୍ତର ଓ ୭ଟି ପାରାଦୀପ ବନ୍ଦରର ଦକ୍ଷିଣ ପାର୍ଶ୍ୱରେ ରହିଛି। ଏ ସମସ୍ତ ବନ୍ଦର ବିଷୟରେ ଆଲୋଚନା କରାଯାଇଛି ବୋଲି ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। ଖୁବ୍‌ଶୀଘ୍ର ବିହାରର ଏକ ବୈଷୟିକ ଟିମ୍‌ ଓଡ଼ିଶା ଗସ୍ତରେ ଆସି ପ୍ରସ୍ତାବିତ ବନ୍ଦର ଅଞ୍ଚଳ ବୁଲି ଫିଜିବିଲିଟି ଦେଖିବ ।