ଚେନ୍ନାଇ,୧୦ା୫: ଉର୍ଭିଲ ପଟେଲଙ୍କ ଯୁଗ୍ମ ଦ୍ରୁତତମ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୫ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏଲ୍ଏସ୍ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ଦ୍ୱାରା ପ୍ରଦତ୍ତ ୨୦୪ ରନର ଟାର୍ଗେଟକୁ ସିଏସ୍କେ ୧୯.୨ ଓଭରରେ ୫ ଉଇକେଟ ହାସଲ କରି ନେଇଥିଲା। ୨୦୦ରୁ ଊର୍ଦ୍ଧ୍ୱ ଟାର୍ଗେଟର ପିଛା କରିବାରେ ୨୦୧୯ ପରେ ଏହା ସିଏସ୍କେର ପ୍ରଥମ ବିଜୟ। ଏହି ବିଜୟ ଯୋଗୁ ଚେନ୍ନାଇ ୧୨ ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଉଠିଥିବା ବେଳେ ଲକ୍ଷ୍ନୌ ପ୍ରଥମ ଦଳ ଭାବେ ପ୍ଲେଅଫ୍ ରେସରୁ ବାଦ୍ ପଡ଼ିଛି।
ପାଇଁ ବ୍ୟାଟିଂ କରିଥିବା ଲକ୍ଷ୍ନୌର ସ୍କୋରକୁ ଜୋଶ ଇଙ୍ଗଲିସ ଏକାକୀ ପାଓ୍ବାରପ୍ଲେରେ ୯୧/୧ରେ ପହଞ୍ଚାଇଥିଲେ। ଏହାପରେ ଦଳ ୫୫ ରନ ମଧ୍ୟରେ ୫ ଉଇକେଟ ହରାଇଥିଲା। ଫଳରେ ଦଳ ୧୪.୨ ଓଭର ସୁଦ୍ଧା ଲକ୍ଷ୍ନୌ ୧୪୭ ରନରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଶେଷ ଆଡ଼କୁ ଶେହବାଜ ଅହମଦ (୪୩ ରନ, ୨୫ ବଲ, ୩ ଲେଖାଏ ଚୌକା ଓ ଛକା) ଓ ହିମତ ସିଂ (୧୭) ସପ୍ତମ ଉଇକେଟରେ ୫୦ ରନ ଯୋଡ଼ି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଫଳରେ ଲକ୍ଷ୍ନୌ ୨୦ ଓଭରରେ ୮ ଉଇକେଟ ହରାଇ ୨୦୩ ରନ କରିଥିଲା। ଦଳ ପାଇଁ ଇଙ୍ଗଲିସ ୩୩ ବଲରେ ୮୫ (୧୦ ଚୌକା ଓ ୬ ଛକା) ରନ କରିଥିଲେ। ଚେନ୍ନାଇ ପାଇଁ ଜେମି ଓଭରଟନ ୩ ଓ ଅଂଶୁଲ କମ୍ବୋଜ ୨ ଉଇକେଟ ନେଇଥିଲେ।
ଜବାବରେ ଚେନ୍ନାଇକୁ ସଞ୍ଜୁ ସାମସନ (୨୮ ରନ, ୧୪ ବଲ, ୩ ଚୌକା ଓ ୨ ଛକା) ଓ ଅଧିନାୟକ ଋତୁରାଜ ଗାଏକ୍ୱାଡ ୩.୪ ଓଭରରେ ୪୫ ରନର ଭଲ ଆରମ୍ଭ ଦେଇଥିଲେ। ନଂ.୩ରେ ଆସିଥିବା ଉର୍ଭିଲ ପଟେଲ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ପଞ୍ଚମ ଓ ଷଷ୍ଠ ଓଭରରେ ୭ଟି ବଲ ଖେଳି ୬ଟି ଛକା ଓ ଗୋଟିଏ ଚୌକା ଲଗାଇଥିଲେ। ସେ ୧୩ଟି ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହାକି ଆଇପିଏଲ୍ ଇତିହାସର ଯୁଗ୍ମ ଦ୍ରୁତତମ।
ସେ ମୋଟ ୨୩ ବଲରେ ୬୫ (୨ ଚୌକା ଓ ୮ ଛକା) ରନ କରିଥିଲେ ଏବଂ ଋତୁରାଜ (୪୨ ରନ, ୨୮ ବଲ, ୩ ଚୌକା ଓ ୨ ଛକା)ଙ୍କ ସହ ମିଶି ଦ୍ୱିତୀୟ ଉଇକେଟରେ ଦ୍ରୁତ ୮୧ ରନ ଯୋଡ଼ିଥିଲେ। ଏହାପରେ ଚେନ୍ନାଇ ୨୦ ରନ ମଧ୍ୟରେ ୩ ଉଇକେଟ ହରାଇବାରୁ ଲକ୍ଷ୍ନୌ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ହେଲେ ଚେନ୍ନାଇ ପାଇଁ ଶିବମ ଦୁବେ ୭ ବଲରେ ୧୫ (୨ ଛକା) ଓ ପ୍ରଶାନ୍ତ ବୀର ୧୨ ବଲରେ ୧୮ (୨ ଛକା) ରନ କରି ମ୍ୟାଚ୍ ଫିନିଶ୍ କରିଥିଲେ। ଚେନ୍ନାଇ ୧୯.୪ ଓଭରରେ ୫ ଉଇକେଟ ହରାଇ ୨୦୮ ରନ କରିଥିଲା।